Categories: ଜାତୀୟ

ଦିଲ୍ଲୀ ଗସ୍ତରେ ଫଡ୍‌ନବିସ: କ୍ୟାବିନେଟ ସମ୍ପ୍ରସାରଣ ଉପରେ ହେବ ଚର୍ଚ୍ଚା

ମୁମ୍ବାଇ,୪।୮: ମହାରାଷ୍ଟ୍ରରେ ଦୀର୍ଘ ଏକ ମାସରୁ ଊର୍ଦ୍ଧ୍ୱ ସମୟ ହେବ ନୂତନ ସରକାର ଗଠନ ହୋଇସାରିଥିଲେ ମଧ୍ୟ କ୍ୟାବିନେଟ ସମ୍ପ୍ରସାରଣ ଅଟକି ରହିଛି। ତେବେ ଶୁକ୍ରବାର କ୍ୟାବିନେଟ ସମ୍ପ୍ରସାରଣ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ଇତିମଧ୍ୟରେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ ଦିଲ୍ଲୀ ଗସ୍ତ କରିଛନ୍ତି। ସେଠାରେ ସେ କ୍ୟାବିନେଟ ସମ୍ପ୍ରସାରଣ ବିଷୟରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ବର୍ତ୍ତମାନ ରାଜ୍ୟର ମନ୍ତ୍ରୀମଣ୍ଡଳରେ ଶିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ କେବଳ ଦୁଇଜଣ ସଦସ୍ୟ ଅଛନ୍ତି। ଜୁନ ୩୦ରେ ଉଭୟ ଶପଥ ଗ୍ରହଣ କରିଥିଲେ। ଅନ୍ୟପଟେ ମହାରାଷ୍ଟ୍ରରେ କ୍ୟାବିନେଟ ସମ୍ପ୍ରସାରଣ ନେଇ ଶିନ୍ଦେ ଗୋଷ୍ଠୀ ଏବଂ ଭାଜପା ମଧ୍ୟରେ ସହମତି ହୋଇଛି। ଭାଜପାର ୮ ଏବଂ ଏକନାଥ ଶିିନ୍ଦେ ଗୋଷ୍ଠୀର ୭ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିପାରିନ୍ତି ବୋଲି ସୂତ୍ରରୁ ପ୍ରକାଶ ପାଇଛି। ଅନ୍ୟପଟେ ଗତ କିଛି ଦିନରୁ ଅଧିକ ବ୍ୟସ୍ତ ଥିବାରୁ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଅସୁସ୍ଥ ଅନୁଭବ କରୁଛନ୍ତି। ତେଣୁ ସେ ଗୋଟିଏ ଦିନ ବିଶ୍ରାମ ନେବାକୁ ନିଷ୍ପତ୍ତି ନେବା ସହ ଦିଲ୍ଲୀ ଗସ୍ତ କରିନାହାନ୍ତି। ଗୁରୁବାର ପାଇଁ ତାଙ୍କର ସମସ୍ତ ସରକାରୀ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Share