Categories: ଜାତୀୟ

ଆଜି ହୋଇପାରେ ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ

ମୁମ୍ବାଇ,୫୪।୮: ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱାଧୀନ ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଶୁକ୍ରବାର ହୋଇପାରେ । ଶିବସେନାର ଶିନ୍ଦେ ଗୋଷ୍ଠୀ ମୁଖପାତ୍ର ଦୀପକ କେସର୍କାର ଏଭଳି ସୂଚନା ଦେଇଛନ୍ତି। ମନ୍ତ୍ରିମଣ୍ଡଳରେ ଭାଜପାରୁ ୭ ଏବଂ ଶିନ୍ଦେ ଗୋଷ୍ଠୀରୁ ୭ ବରିଷ୍ଠ ବିଧାୟକ ସ୍ଥାନ ପାଇପାରନ୍ତି ବୋଲି ଏକ ସୂତ୍ରରୁ ଜଣାପଡ଼ିଛି।
ଗତ ଜୁନ୍‌ରେ ଶିବସେନାରେ ବିଦ୍ରୋହ ଦେଖାଦେବା ସହ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ମହାବିକାଶ ଅଘାଡି ସରକାରର ପତନ ଘଟିଥିଲା। ଭାଜପା ସମର୍ଥନରେ ଶିବସେନାର ବିଦ୍ରୋହୀ ନେତା ଜୁନ୍‌ ୩୦ରେ ସରକାର ଗଢ଼ିଥିଲେ ଓ ଭାଜପା ନେତା ଦେବେନ୍ଦ୍ର ଫଡ୍‌ନବିସ୍‌ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ। ହେଲେ ଏପର୍ଯ୍ୟନ୍ତ ମନ୍ତ୍ରିମଣ୍ଡଳରେ କାହାକୁ ସାମିଲ କରାଯାଇ ନାହିଁ। ଭାଜପାରୁ ଚନ୍ଦ୍ରକାନ୍ତ ପାଟିଲ, ସୁଧୀର ମୁଙ୍ଗେନ୍ତିଓ୍ବାର, ଗିରୀଶ ମହାଜନ, ପ୍ରବୀଣ ଡାରେକର, ରାଧାକ୍ରିଷ୍ଣ ଭିଖେ ପାଟିଲ, ଗଣେଶ ନାଏକ ଏବଂ ରବୀନ୍ଦ୍ର ଚଭନ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବା ସମ୍ଭାବନା ଥିବାବେଳେ ଶିନ୍ଦେ କ୍ୟାମ୍ପ୍‌ରୁ ଦାଦା ଭୁସେ, ଉଦୟ ସାମନ୍ତ, ଗୁଲାବ୍ରାଓ ପାଟିଲ, ଶମ୍ଭୁ ରାଜେ ଦେଶାଇ, ସନ୍ଦିପନ ଭୁମ୍ରେ, ସଞ୍ଜୟ ଶିର୍ଶାଥ, ଅବଦୁଲ ସତ୍ତାର ଏବଂ ସ୍ବାଧୀନ ବିଧାୟକ ବଛୁ କାଡ଼ୁ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବା ନେଇ ଚର୍ଚ୍ଚା ହେଉଛି। ଶିନ୍ଦେ ଅସୁସ୍ଥ ଥିବାରୁ ଉପମୁଖ୍ୟମନ୍ତ୍ରୀ ଫଡ୍‌ନବିସ ରାଜ୍ୟ କ୍ୟାବିନେଟର ଚୂଡ଼ାନ୍ତ ତାଲିକା ନେଇ ଗୁରୁବାର ଦିଲ୍ଲୀ ଯାଇଛନ୍ତି। ଭାଜପା କେନ୍ଦ୍ରୀୟ ନେତୃତ୍ୱ ଅନୁମୋଦନ କଲେ ଶୁକ୍ରବାର ଶିନ୍ଦେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବ ବୋଲି ଜଣାପଡ଼ିଛି। ଜୁଲାଇ୨୭ରେ ଶିନ୍ଦେ ଏବଂ ଫଡ୍‌ନବିସ ଗତ ଜୁଲାଇ ୨୯ରେ ମନ୍ତ୍ରିମଣ୍ଡଳର ଚିଠା ତାଲିକା ନେଇ ଦିଲ୍ଲୀ ଯାଇଥିଲେ। ତେବେ ମନ୍ତ୍ରୀ ପଦ ଲାଗି ବହୁ ଆଶାୟୀ ଥିବାରୁ ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରି ନ ଥିଲା।

Share