କରୋନା ସଂକ୍ରମଣକୁ ରୋକିବାକୁ ଉଦ୍ଧବଙ୍କ ନୂଆ କ୍ୟାମ୍ପେନ

ମୁମ୍ବାଇ,୧୩ ।୯: କରୋନା ସଂକ୍ରମଣ ଯୋଗୁ ଅସ୍ତବ୍ୟସ୍ତ ହୋଇ ପଡିଲାଣି ମହାରାଷ୍ଟ୍ର । ରାଜ୍ୟରେ ବଢି ଚାଲିଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏବେ ଏକ ନୂଆ କ୍ୟାମ୍ପେନ ଆରମ୍ଭ କରିବାକୁ ନିଷ୍ୱତ୍ତି ନେଇଛନ୍ତି । ସେପ୍ଟେମ୍ବର ୧୫ରୁ ଏହା ଲାଗୁ କରାଯିବ । କ୍ୟାମ୍ପେନଟି ହେଲା ‘ମୋ ପରିବାର ମୋ ଦାୟିତ୍ୱ ।’ ଏହି କ୍ୟାମ୍ପେନ ଅଧିନରେ ବ୍ରିହାନମୁମ୍ବାଇ ମ୍ୟୁନିସିପାଲ କର୍ପୋରେଶନ(ବିଏମ୍‌ସି) ରାଜଧାନୀର ସମସ୍ତ ଘରେ ପହଞ୍ଚିବ । ସେଠାରେ ସେ ସ୍ୱାସ୍ଥ୍ୟ ସୁବିଧା ସହ କରୋନାଠାରୁ ଦୂରେଇ ରହିବାର ଉପାୟ ସମ୍ପର୍କରେ କହିବ । ପ୍ରତ୍ୟେକ ପରିବାର ୩ଟି ନିୟମ ପାଳନ କରିବାକୁ ପଡିବ । ପ୍ରଥମେ ପରସ୍ପରଠାରୁ ଅତିକମରେ ୨ ମିଟର ଦୂରତା ରକ୍ଷା କରିବାକୁ ପଡିବ । ଠିକ୍ ଭାବେ ଓ ସବୁବେଳେ ମାସ୍କ ବ୍ୟବହାର କରିବା ଜରୁରୀ, ତୃତୀୟରେ ନିୟମିତ ଭାବେ ହାତ ଧୋଇବା ଓ ଠିକ୍ ଭାବେ ସାନିଟାଇଜର ବ୍ୟବହାର କରିବାକୁ ପଡିବ । ତା’ହେଲେ ଯାଇ ଆମେ କରୋନା ଭାଇରସଠାରୁ ଦୂରେଇ ରହିପାରିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ମହାରାଷ୍ଟ୍ରରେ ଏବେ ୨,୮୦,୧୩୮ କରୋନା ସଂକ୍ରମିତଙ୍କ ଚିକିତ୍ସା ଚାଲିଥିବା ବେଳେ ୭,୨୮,୫୧୨ ଜଣ ସୁସ୍ଥ ହୋଇ ସାରିଲେଣି ଓ ୨୯,୧୧୫ ଜଣଙ୍କର କରୋନା ସଂକ୍‌୍ରମଣରେ ମୃତ୍ୟୁ ହେଲାଣି । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଚିନ୍ତାର କାରଣ ପାଲଟିଥିବା ବେଳେ ମହାରାଷ୍ଟ୍ର ଏକ୍ଷେତ୍ରରେ ସବୁଠାରୁ ଆଗରେ ଥିବାରୁ ମୁଖ୍ୟମନ୍ତ୍ରୀଙ୍କ ନୂଆ କ୍ୟାମ୍ପେନ କାମରେ ଆସିବ ବୋଲି କୁହାଯାଉଛି ।

Share