ମୁମ୍ବାଇ,୨୭।୬: ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ଥମୁନି। ସୋମବାର ବିଦ୍ରୋହୀ ମନ୍ତ୍ରୀଙ୍କ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ନେଇଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଏକନାଥ ସିନ୍ଦେଙ୍କ କ୍ୟାମ୍ପରେ ଯୋଗ ଦେଇଥିବା ପ୍ରାୟ ୮ ଜଣ ମନ୍ତ୍ରୀଙ୍କ ଠାରୁ ଆଜି ସେ ସବୁ ବିଭାଗ କାଢି ଆଣିଛନ୍ତି। ଏହି ବିଭାଗଗୁଡିକୁ ଅନ୍ୟ ମନ୍ତ୍ରୀମାନଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଛି। ସିନ୍ଦେଙ୍କୁ ମିଶାଇ ମୋଟ ୯ ଜଣ ମନ୍ତ୍ରୀଙ୍କୁ ସେମାନଙ୍କ ବିଭାଗ ଦାୟିତ୍ୱରୁ ମୁକ୍ତ କରାଯାଇଛି। କାର୍ଯ୍ୟରେ ଅବହେଳା ଯୋଗୁ ସେମାନଙ୍କଠାରୁ ସବୁ ବିଭାଗର ଦାୟିତ୍ୱ କାଢି ନିଆଯାଇଛି।
ସୂଚନାଯୋଗ୍ୟ,ସିନ୍ଦେଙ୍କ କ୍ୟାମ୍ପରେ ଥିବା ଶିବସେନାର ୩୮ ଜଣ ବିଦ୍ରୋହୀ ବିଧାୟକ ମହାରାଷ୍ଟ୍ରର ସରକାରଙ୍କ ଠାରୁ ସମର୍ଥନ ପ୍ରତ୍ୟାହାର କରିଥିଲେ। ଏଥିଯୋଗୁ ରାଜ୍ୟରେ ଥିବା ଉଦ୍ଧବ ସରକାର ବିଧାନସଭାରେ ସଂଖ୍ୟା ଗରିଷ୍ଠତା ହରାଇଥିବା ସିନ୍ଦେ ସେନା ଦାବି କରିଛନ୍ତି।
ଏକନାଥ ସିନ୍ଦେ ତାଙ୍କ ଗୋଷ୍ଠୀକୁ ପ୍ରକୃତ ଶିବସେନା ବୋଲି କହୁଛନ୍ତି। ଅନ୍ୟପକ୍ଷରେ ଶିବସେନାକୁ ସମର୍ଥନ କରୁଥିବା ବିଧାୟକଙ୍କ ସଂଖ୍ୟା ୫୦ ଅତିକ୍ରମ କରିବ ବୋଲି ସିନ୍ଦେ ଦାବି କରିଛନ୍ତି। ତେବେ ସମର୍ଥନ ପ୍ରତ୍ୟାହାର ପରେ ସେ କାହାକୁ ସମର୍ଥନ କରିବେ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଛି।