Categories: ଜାତୀୟ

ମୋଦିଙ୍କ ସାକ୍ଷାତକୁ ନେଇ ଉଦ୍ଧବ କହିଲେ, ମୁଁ ନଓ୍ବାଜ ସରିଫଙ୍କୁ ଭେଟିବାକୁ ଯାଇ ନ ଥିଲି

ନୂଆଦିଲ୍ଲୀ,୮।୬: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମଙ୍ଗଳବାର ଦିଲ୍ଲୀରେ ପହଞ୍ଚି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସହ ସମ୍ପର୍କ ଏବଂ ସାକ୍ଷାତ ସମ୍ପର୍କରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ଠାକରେ ଏକ ଅଜବ ଉତ୍ତର ଦେଇଛନ୍ତି। ଉଦ୍ଧବ ଠାକରେ କହିଛନ୍ତି ଯେ, ଯଦିଓ ଆମେ ରାଜନୈତିକ ସ୍ତରରେ ଏକାଠି ନାହୁଁ, ଏହାର ଅର୍ଥ ନୁହେଁ ଯେ ଆମର ସମ୍ପର୍କ ସମାପ୍ତ ହୋଇଛି। ମୁଁ କୌଣସି ନୱାଜ ସରିଫ(ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ)ଙ୍କୁ ଭେଟିବାକୁ ଯାଇ ନଥିଲି। ତେଣୁ ଯଦି ମୁଁ ତାଙ୍କୁ ବ୍ୟକ୍ତିଗତ ଭାବରେ ସାକ୍ଷାତ କରେ ତେବେ ସେଥିରେ କ’ଣ ଭୁଲ ଅଛି। ପ୍ରଧାନମନ୍ତ୍ରୀ ଆମର ସମସ୍ତ ଆଲୋଚନାକୁ ଗମ୍ଭୀରତାର ସହ ଶୁଣୁଛନ୍ତି ବୋଲି ଉଦ୍ଧବ କହିଛନ୍ତି। ଏହି ବୈଠକରେ ମରାଠା ସଂରକ୍ଷଣ, ଜିଏସ୍‌ସି ସମେତ ୧୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ଏବଂ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ଏହି ସାକ୍ଷାତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମୁଖ୍ୟମନ୍ତ୍ରୀ ହେବା ପରେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଉଦ୍ଧବ ଠାକରେଙ୍କ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ବୈଠକ। ଏହି ବୈଠକରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର, ମନ୍ତ୍ରୀ ଅଶୋକ ଚହ୍ବାନଙ୍କ ମଧ୍ୟ ଉଦ୍ଧବଙ୍କ ସହ ଉପସ୍ଥିତ ଥିଲେ।

Share