Categories: ଜାତୀୟ

‘ଏବେ ଆଇନଗତ ଲଢେଇ ଆରମ୍ଭ’

ମୁମ୍ବାଇ,୨୬।୬: ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ରବିବାର ଶିବସେନା ପକ୍ଷରୁ ଏକ ଖବରଦାତା ସମ୍ମିଳନୀ କରାଯାଇଛି। ଶିବସେନା ଏମ୍‌ପି ଅରବିନ୍ଦ ସାୱନ୍ତ କହିଛନ୍ତି, ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ପରିସ୍ଥିତି କେବଳ ରାଜନୈତିକ ଲଢେଇ ନୁହେଁ, ବର୍ତ୍ତମାନ ଆଇନଗତ ଲଢେଇ ମଧ୍ୟ ଆରମ୍ଭ ହୋଇଛି। ଦଳର ଅନେକ ବିଧାୟକ ଆସାମରେ ଅଛନ୍ତି, ଆମେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛୁ। ପ୍ରାୟ ୧୬ ଜଣ ବିଧାୟକଙ୍କ ନିକଟକୁ ନୋଟିସ ପଠାଯାଇଛି।
ଶିବସେନାର ଓକିଲ ଦେବଦତ୍ତ କାମତ କହିଛନ୍ତି ଯେ ମୁଁ ଆଇନଗତ ସ୍ଥିତି ଏବଂ ପ୍ରକ୍ରିୟା ବିଷୟରେ କହିବାକୁ ଆସିଛି। ୧୬ ଜଣ ବିଧାୟକଙ୍କ ବିରୋଧରେ ପ୍ରକ୍ରିୟା ଆରମ୍ଭ ହୋଇଛି। ଅଯୋଗ୍ୟତାକୁ ଏଡ଼ାଇବା ପାଇଁ ମିଶ୍ରଣ ହେଉଛି ଏକମାତ୍ର ଉପାୟ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଶିବସେନାରେ ଲାଗିଥିବା ନିଆଁ ଏବେ ଉଗ୍ର ରୂପ ଧାରଣ କରିଛି। ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ଅନ୍ୟପଟେ କ୍ୟାବିନେଟ୍‌ ମନ୍ତରୀ ଏକନାଥ ସିନ୍ଦେ। ୪୦ରୁ ଅଧିକ ବିଧାୟକ ବିଦ୍ରୋହ କରି ମୁମ୍ବାଇ ଛାଡି ଗୁଆହାଟୀରେ ଯାଇ ବସିଛନ୍ତି। ଏହି ବିଦ୍ରୋହୀ ବିଧାୟକଙ୍କ ନେତୃତ୍ୱ ସିନ୍ଦେଙ୍କ ହାତରେ ରହିଛି।

Share