Categories: ଜାତୀୟ

ବିଦ୍ରୋହ ପରେ ଦୁଇଗୋଷ୍ଠୀ ଟଣାଓଟରା

ମୁମ୍ବାଇ, ୪ା୭ : ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି)ରେ ବିଦ୍ରୋହ ପରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ଗୋଷ୍ଠୀ ସୋମବାର ଲୋକ ସଭା ଏମ୍‌ପି ସୁନିଲ ଟାଟ୍‌କାରେଙ୍କୁ ରାଜ୍ୟ ଏନ୍‌ସିପି ମୁଖ୍ୟ ଘୋଷଣା କରିଛନ୍ତି। ଏନ୍‌ସିପି ବିଦ୍ରୋହୀ ଗୋଷ୍ଠୀର ଅନ୍ୟତମ ନେତା ପ୍ରଫୁଲ ପଟେଲ ଏକ ଖବରଦାତା ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଦଳର ମହାରାଷ୍ଟ୍ର ସଭାପତି ପଦରୁ ଜୟନ୍ତ ପାଟିଲଙ୍କୁ ବହିଷ୍କାର କରାଯାଇ ତାଙ୍କ ସ୍ଥାନରେ ଟାଟ୍‌କାରେଙ୍କୁ ନିଯୁକ୍ତ କରାଯାଇଛି। ଏଣିକି ମହାରାଷ୍ଟ୍ର ପାଇଁ ଏନ୍‌ସିିପିର ସମସ୍ତ ନିଷ୍ପତ୍ତି ଟାଟ୍‌କାରେ ନେବେ ବୋଲି ପଟେଲ କହିଛନ୍ତି।
ଅନ୍ୟପକ୍ଷରେ ଏନ୍‌ସିପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶରଦ ପାଓ୍ବାର ସୋମବାର ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ପ୍ରଫୁଲଙ୍କୁ ତାଙ୍କ ପଦବୀ ସମେତ ଦଳରୁ ବହିଷ୍କାର କରିବା ସହ ଲୋକ ସଭା ଏମ୍‌ପି ଟାଟ୍‌କାରେଙ୍କୁ ଦଳବିରୋଧୀ କାର୍ଯ୍ୟ ପାଇଁ ଦଳରୁ ବହିଷ୍କାର କରିଛନ୍ତି। ଅଜିତ ପାଓ୍ବାର ୮ ଜଣ ଏନ୍‌ସିପି ବିଧାୟକଙ୍କ ସହ ଏକନାଥ ଶିନ୍ଦେ-ଭାଜପା ସରକାରରେ ସାମିଲ ହେବାର ଦିନକ ପରେ ପାଓ୍ବାର ଉପରୋକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଅଜିତଙ୍କ ସହ ଥିବା ୩ ଏନ୍‌ସିପି ନେତାଙ୍କୁ ପାଓ୍ବାର ବହିଷ୍କାର କରିବା ସହ ୯ ଜଣ ବିଧାୟକ ଏବଂ ୨ ଏମ୍‌ପିଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି। ଏହି ଏମ୍‌ପିମାନେ ରବିବାର ଶପଥ ଗ୍ରହଣ ଉତ୍ସବରେ ଯୋଗଦେଇଥିଲେ। ବହିଷ୍କୃତ ନେତାଙ୍କ ମଧ୍ୟରେ ଅଛନ୍ତି ଦଳର ଆଞ୍ଚଳିକ ସାଧାରଣ ସମ୍ପାଦକ ଶିବାଜୀ ରାଓ ଗାର୍ଜେ, ଦଳର ଆକୋଲା ସିଟିର ଜିଲା ସଭାପତି ବିଜୟ ଦେଶମୁଖ ଏବଂ ମୁମ୍ବାଇ ଡିଭିଜନର କାର୍ଯ୍ୟକାରୀ ସଭାପତି ନରେନ୍ଦ୍ର ରାଣେ। ଏହି ନେତାମାନଙ୍କ କାର୍ଯ୍ୟ ଦଳର ଶୃଙ୍ଖଳା ବିରୋଧୀ ଏବଂ ଦଳୀୟ ନୀତିର ବିରୁଦ୍ଧାଚରଣ କରୁଥିବାରୁ ସେମାନଙ୍କ ସଭ୍ୟପଦ ଓ ଦଳୀୟ ପଦବୀକୁ ତୁରନ୍ତ ରଦ୍ଦ କରାଗଲା ବୋଲି ଏନ୍‌ସିପି ପକ୍ଷରୁ କୁହାଯାଇଛି। ଏହା ବ୍ୟତୀତ ଦଳବିରୋଧୀ କାର୍ଯ୍ୟରେ ସମ୍ପୃକ୍ତ ୯ ଜଣ ଏନ୍‌ସିପି ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିବା ନେଇ ଏକ ପ୍ରସ୍ତାବକୁ ଦଳର ରାଜ୍ୟ ଶୃଙ୍ଖଳା କମିଟିରେ ଗୃହୀତ କରାଯାଇଛି।
ଏକନାଥ ଶିନ୍ଦେ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିବା ଅଜିତ ପାଓ୍ବାର ଓ ଅନ୍ୟ ୮ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ଏନ୍‌ସିପି ପକ୍ଷରୁ ହୋଇଥିବା ଆବେଦନ ଉପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯିବ ବୋଲି ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ନରଓ୍ବେକର କହିଛନ୍ତି। ଅଜିତଙ୍କ ସମେତ ୯ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ଦଳ ପକ୍ଷରୁ ପ୍ରସ୍ତାବ ଗୃହୀତ ହେବା ପରେ ଭାରତର ନିର୍ବାଚନ କମିଶନଙ୍କୁ ଇମେଲ୍‌ ଯୋଗେ ଜଣାଇଦିଆଯାଇଥିବା ଏନ୍‌ସିପି ରାଜ୍ୟ ସଭାପତି ଜୟନ୍ତ ପାଟିଲ କହିଥିଲେ।

Share