ମୁମ୍ବାଇ,୨୭।୬: ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ଜାରି ରହିଥିବା ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା ଏନ୍ସିପି ଦେତା ଅଜିତ ପାଓ୍ବାର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର ସୋମବାର ଟୁଇଟ କରି ଏହି ସୂଚନା ଦେଇଛନ୍ତି। ଅଜିତ ପାୱାର ଟୁଇଟ କରି ଲେଖିଛନ୍ତି, ଗତ କିଛି ଦିନରୁ ସେ ଅସୁସ୍ଥ ଥିବାରୁ ରବିବାର କରୋନା ପରୀକ୍ଷା କରାଇଥିଲେ। ତେବେ ସୋମବାର ଆସିଥିବା ରିପୋର୍ଟରେ ତାଙ୍କର କରୋନା ପଜିଟିଭ୍ ବାହାରିଛି। ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଭଲ ଅଛି ଏବଂ ସେ ଡାକ୍ତରଙ୍କର ପରାମର୍ଶ ନେଉଛନ୍ତି ବୋଲି କହିଛନ୍ତି। ଜନତାଙ୍କ ଆଶୀର୍ବାଦରୁ କରୋନାକୁ ହରାଇ ଖୁବ୍ଶୀଘ୍ର ନିଜ କାର୍ଯ୍ୟକୁ ଫେରିବେ ବୋଲି ଅଜିତ ପାଓ୍ବାର କହିଛନ୍ତି। ତେବେ ଗତ କିଛି ଦିନରୁ ତାଙ୍କ ସହ ସମ୍ପର୍କରେ ଆସିଥିବା ବ୍ୟକ୍ତିମାନେ କୋଭିଡ ଲକ୍ଷଣ ଦେଖିବା ମାତ୍ରେ ହିଁ ନିଜର କରୋନା ପରୀକ୍ଷା କରାଇ ନେବାକୁ ସେ ଅନୁରୋଧ କରିଛନ୍ତି। ଏହାପୂର୍ବରୁ ମହାରାଷ୍ଟ୍ର ରାଜ୍ୟପାଳ ଭାଗବତ ସିଂ କୋଶିଆରି ମଧ୍ୟ କରୋନା ପଜିଟିଭ୍ ହୋଇଥିଲେ। ରବିବାର ସେ ସୁସ୍ଥ ହେବାରୁ ହସ୍ପିଟାଲରୁ ଡିସ୍ଚାର୍ଜ ହୋଇ ଘରକୁ ଫେରିଛନ୍ତି। ସୂଚନାଯୋଗ୍ୟ, ଗତ କିଛି ଦିନରୁ ମହାରାଷ୍ଟ୍ରରେ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି।