Categories: ଜାତୀୟ

ଟିକ୍‌ଟକ୍‌ ଷ୍ଟାର୍‌ ଆତ୍ମହତ୍ୟା ମାମଲାରେ ମନ୍ତ୍ରୀ ଦେଲେ ଇସ୍ତଫା

ପୁଣେ,୨୮।୨: ମହାରାଷ୍ଟ୍ରର ପରିବେଶ ମନ୍ତ୍ରୀ ତଥା ଶିବସେନା ନେତା ସଞ୍ଜୟ ରାଠୋର ରବିବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ପୁଣେର ଜଣେ ଟିକ୍‌ଟକ୍‌ ଷ୍ଟାର୍‌ଙ୍କ ମୃତ୍ୟୁ ମାମଲାରେ ତାଙ୍କ ନାଁ ଆସିବା ପରେ ସେ ଇସ୍ତଫା ଦେଇଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ, ଗତ ଫେବୃୟାରୀ ୮ରେ ପୁଣେର ହଡପସର ଅଞ୍ଚଳରେ ଏକ କୋଠରୀରୁ ଖସିପଡି ଯୁବତୀଙ୍କ ମୃତ୍ୟୁ ଘଟିଥିଲା। କେତେକ ସୋସିଆଲ ମିଡିଆ ପୋଷ୍ଟ ଏବଂ ବିରୋଧୀ ଭାଜପା ପକ୍ଷରୁ ଦାବି କରାଯାଇଥିଲା ଯେ, ସମ୍ପୃକ୍ତ ୨୩ ବର୍ଷୀୟା ଯୁବତୀଙ୍କ ମୃତ୍ୟୁରେ ରାଠୋରଙ୍କ ସମ୍ବନ୍ଧ ରହିଛି।

ଏହି ପ୍ରସଙ୍ଗରେ ମନ୍ତ୍ରୀ ସଞ୍ଜୟ ରାଠୋର କହିଛନ୍ତି ଯେ, ମୁଁ ମୋର ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ପଠାଇ ଦେଇଛି। ବିରୋଧୀ ଦଳ ଯେଉଁଭଳି ଭାବରେ ଚେତାବନୀ ଦେଇଛି, ସେଥିରୁ ଜଣାପଡୁଛି ଏଥର ବିଧାନସଭା ଅଧିବେଶନ ଜାରି ରଖିବାକୁ ଦେବେ ନାହିଁ। ତେଣୁ ସେଥିରୁ ମୁଁ ନିଜକୁ ଦୂରେଇ ରଖିଛି। ମୁଁ ଏହି ମାମଲାର ସଠିକ୍‌ ଅନୁସନ୍ଧାନ ଚାହୁଁଛି ବୋଲି ସେ କହିଛନ୍ତି। ପୂର୍ବରୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏହି ଘଟଣାର ବିସ୍ତୃତ ଯାଞ୍ଚ ନିର୍ଦ୍ଦେଶ ଦେଇଥିଲେ। ଏଥି ସହ ମହିଳା ମହିଳା ଜାତୀୟ ଆୟୋଗ ମଧ୍ୟ ଏଥିରେ ହସ୍ତକ୍ଷେପ କରି ରାଜ୍ୟ ସରକାର ଏବଂ ପୁଣେ ପୋଲିସ କମିଶନରଙ୍କୁ ନୋଟିସ ଜାରି କରିଛନ୍ତି। ରାଠୋର ରବିବାର ମୁଖ୍ୟମନ୍ତ୍ରୀ ଠାକରେଙ୍କୁ ଭେଟି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ରାଜ୍ୟର ମୁଖ୍ୟ ବିରୋଧୀ ଦଳ ଏହି ମାମଲାରେ ରାଠୋରଙ୍କ ଇସ୍ତଫା ଦାବି କରିଆସୁଥିଲେ।

Share