Categories: ଖେଳ

ମହାରାଷ୍ଟ୍ରକୁ ସ୍ବର୍ଣ୍ଣ, ଓଡ଼ିଶା ଚତୁର୍ଥ

ଭୁବନେଶ୍ୱର, ୩୦ା୧୨ (ବିଜୟ ରଣା): ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମସ୍ଥିତ ଜିମ୍ନାଷ୍ଟିକ୍ସ ସେଣ୍ଟରରେ ଚାଲିଥିବା ଜାତୀୟ ଜୁନିୟର ଜିମ୍ନାଷ୍ଟିକ୍ସ ଚାମ୍ପିୟନଶିପ୍‌ର ଶୁକ୍ରବାର ଥିଲା ଦ୍ୱିତୀୟ ଦିବସ। ମହିଳା ଦଳଗତ ବିଭାଗରେ ମହାରାଷ୍ଟ୍ର ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ ଦିଲ୍ଲୀ ରୌପ୍ୟ ଏବଂ ପଶ୍ଚିମବଙ୍ଗ ବ୍ରୋଞ୍ଜ ପଦକ ପାଇଛି। ଓଡ଼ିଶା ଏଥିରେ ଚତୁର୍ଥ ସ୍ଥାନ ଅଧିକାର କରିଛି। ମହାରାଷ୍ଟ୍ରର ଅଲରାଉଣ୍ଡ ସ୍କୋର ୧୬୧.୨୦ ରହିଥିବା ବେଳେ ଦିଲ୍ଲୀ ୧୫୩.୬୦ ଏବଂ ପଶ୍ଚିମ ବଙ୍ଗ ୧୫୩.୪୦ ଏବଂ ଓଡ଼ିଶା ୧୫୦.୪୦ ପଏଣ୍ଟ ସ୍କୋର କରିଛି। ଓଡ଼ିଶା ପଛକୁ ତେଲେଙ୍ଗାନା ୧୪୪.୯୦ ପଏଣ୍ଟ ସ୍କୋର କରି ୫ମ ସ୍ଥାନରେ ରହିଛି। ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗର ଯୁଗ୍ମ ସଚିବ କୈଳାସ ଚନ୍ଦ୍ର ଦାସ ଅତିଥି ଭାବେ ଯୋଗଦାନ କରି ବିଜେତାମାନଙ୍କୁ ପଦକ ବିତରଣ କରିଥିଲେ। ବ୍ୟକ୍ତିଗତ ଅଲରାଉଣ୍ଡ ର଼୍ୟାଙ୍କିଙ୍ଗରେ ତେଲେଙ୍ଗାନାର ନିଶିକା ଅଗ୍ରଓ୍ବାଲ ୪୪.୨୫ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଥିଲେ। ସେ ଭଲ୍ଟରେ ୪୪.୨୫ ପଏଣ୍ଟ, ଅନଇଭେନ ବାର୍‌ରେ ୯.୩୦ ପଏଣ୍ଟ, ବାଲାନ୍ସ ବିମ୍‌ରେ ୧୦.୬୦ ପଏଣ୍ଟ ଏବଂ ଫ୍ଲୋର୍‌ ଏକ୍ସରସାଇଜ୍‌ରେ ୧୧.୦୦ ପଏଣ୍ଟ ସ୍କୋର କରିଥିଲେ। ପଶ୍ଚିମବଙ୍ଗର ସୌମିଲି କରାର ମୋଟ ୪୨.୪୫ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ସେ ଭଲ୍ଟରେ ୧୨.୫୦, ଅନଇଭେନ ବାର୍‌ରେ୭.୬୫, ବାଲାନ୍ସ ବିମ୍‌ରେ ୧୧.୭୫ ଏବଂ ଫ୍ଲୋର ଏକ୍ସରସାଇଜ୍‌ରେ ୧୦.୫୫ ପଏଣ୍ଟ ସ୍କୋର କରିଥିଲେ। ମହାରାଷ୍ଟ୍ରର ସାରା ରାଉଲ ତୃତୀୟ ହୋଇଥିଲେ। ତାଙ୍କର ଅଲରାଉଣ୍ଡ ସ୍କୋର ୪୧.୬୦ ରହିଥିବା ବେଳେ ଭଲ୍ଟରେ ୧୨.୩୫, ଅନଇଭେନ ବାର୍‌ରେ ୯.୪୦, ବାଲାନ୍ସ ବିମ୍‌ରେ ୧୦.୩୫ ଏବଂ ଫ୍ଲୋର ଏକ୍ସରସାଇଜରେ ୯.୫୦ ପଏଣ୍ଟ ରହିଥିଲା। ଉଭୟ ପୁରୁଷ ଓ ମହିଳା ବିଭାଗର ବ୍ୟକ୍ତିଗତ ଜିମ୍ନାଷ୍ଟିକ୍ସ ଶନିବାର ଚାମ୍ପିୟନଶିପ୍‌ର ଅନ୍ତିମ ଦିବସରେ ଅନୁଷ୍ଠିତ ହେବ।

Share