Categories: ଜାତୀୟ

ଜୁଲାଇ ୩୧ ପର୍ଯ୍ୟନ୍ତ ବୃଦ୍ଧି ହେଲା ଲକ୍‌ଡାଉନ ଅବଧି

ମୁମ୍ବାଇ,୨୯।୬: କରୋନା ଭାଇରସ ସଂକ୍ରମଣକୁ ଦେଖି ସାରା ଦେଶରେ ଲକ୍‌ଡାଉନ ଜାରି କରାଯାଇଥିବା ବେଳେ ଜୁନ୍‌ ପହିଲାରୁ କିନ୍ତୁ ଆରମ୍ଭ ହୋଇଥିଲା ଅନ୍‌ଲକ୍‌ ୦.୧। ମହାରାଷ୍ଟ୍ରରେ କିନ୍ତୁ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଉଦ୍ଧବ ଠାକରେଙ୍କ ସରକାର ପୁଣିଥରେ ଜୁଲାଇ ୩୧ ପର୍ଯ୍ୟନ୍ତ ଲକ୍‌ଡାଉନ ଅବଧିକୁ ବୃଦ୍ଧି କରିଛନ୍ତି। ସୋମବାର ସରକାର ଏହି ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ଅତିକ୍ରମ କରି ଯାଇଥିବାରୁ ଏହା ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟି ଯାଇଛି। ତେବେ ସଂକ୍ରମିତ ଅଞ୍ଚଳକୁ ଦେଖି ଲକ୍‌ଡାଉନ ନିୟମରେ କୋହଳ କରାଯିବ ବୋଲି ଜଣାପଡିଛି। ମୁଖ୍ୟ ସଚିବଙ୍କ ପକ୍ଷରୁ ଲକ୍‌ଡାଉନ ଅବଧି ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେଣୁ ଜୁଲାଇ ୩୧, ୨୦୨୦ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଲକ୍‌ଡାଉନ ନିୟମ ଲାଗୁ କରାଯିବ। ପୂର୍ବପରି ଜରୁରୀ ସମାଗ୍ରୀ ଯେମିତିକି କ୍ଷୀର,ପନିପରିବା ଓ ଔଷଧ ଦୋକାନ ଖୋଲା ରହିବ। କାର୍ଯ୍ୟାଳୟରେ ସୀମିତି କର୍ମଚାରୀଙ୍କୁ ନେଇ କାମ କରାଯିବ। ରାଜ୍ୟ ସରକାରଙ୍କ ସବୁ ବିଭାଗ ପାଇଁ ଜାରି କରାଯାଇଥିବା ଗାଇଡ୍‌ଲାଇନର କଡାକଡି ଭାବେ ପାଳନ କରାଯିବ। ଏହାପରେ ସଂକ୍ରମଣକୁ ଦେଖି ଜିଲାପାଳ ଓ ମ୍ୟୁନିସପାଲ କର୍ପୋରେଶନ ଜରୁରୀ ପ୍ରତିବନ୍ଧକ ଲାଗୁ କରିପାରିବେ। ଲୋକଙ୍କର ଯିବା ଆସିବା ଉପରେ ମଧ୍ୟ ଅଙ୍କୁଶ ଲଗାଯିବ।

Share