Categories: ଜାତୀୟ

କୋଶିୟାରୀଙ୍କ ମନ୍ତବ୍ୟକୁ ନେଇ ଆଲୋଡ଼ନ

ମୁମ୍ବାଇ, ୨ା୩: ଛତ୍ରପତି ଶିବାଜୀଙ୍କ ଗୁରୁ ଥିଲେ ସନ୍ଥ ସମର୍ଥ ରାମଦାସ। ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶିୟାରୀ ନିକଟରେ ଔରଙ୍ଗାବାଦଠାରେ ଏକ କାର୍ଯ୍ୟକ୍ରମରେ ଏହା କହିବା ପରଠାରୁ ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଜାତୀୟତାବାଦୀ କଂଗ୍ରେସ (ଏନ୍‌ସିପି), ଶିବସେନା, କଂଗ୍ରେସ ଓ ଅନ୍ୟ କେତେକ ସଙ୍ଗଠନ ତାଙ୍କୁ ବିରୋଧ କରିବା ସହ ଇସ୍ତଫା ଦାବି କରିଛନ୍ତି।
କୋଶିୟାରୀ ଉକ୍ତ କାର୍ଯ୍ୟକ୍ରମରେ କହିଥିଲେ ଯେ, ଚାଣକ୍ୟଙ୍କ ବିନା ଚନ୍ଦ୍ରଗୁପ୍ତଙ୍କୁ ଯେଭଳି ଗୁରୁତ୍ୱ ଦିଆଯାଇପାରିବ ନାହିଁ, ସେହିପରିି ରାମଦାସଙ୍କ ବିନା ଶିବାଜୀଙ୍କୁ ଗୁରୁତ୍ୱ ଦେଇ ହେବ ନାହିଁ। କୋଶିୟାରୀ ଏହା ମଧ୍ୟ କହିଥିଲେ ଯେ, ଶିବାଜୀ ଓ ଚନ୍ଦ୍ରଗୁପ୍ତ ଛୋଟ ନୁହନ୍ତି। କିନ୍ତୁ ଆମ ସମାଜରେ ଗୁରୁଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ରାଜ୍ୟପାଳଙ୍କ ଏପରି ମନ୍ତବ୍ୟକୁ ମହାରାଷ୍ଟ୍ରରେ ଘୋର ସମାଲୋଚନା କରାଯାଇଛି। ଏନ୍‌ସିପି ଏମ୍‌ପି ସୁପ୍ରିୟା ସୁଲେ ଏହି ମର୍ମରେ ୧୬ ଜୁଲାଇ ୨୦୧୮ରେ ବମ୍ବେ ହାଇକୋର୍ଟର ଔରଙ୍ଗାବାଦ ବେଞ୍ଚ୍‌ ଦେଇଥିବା ରାୟକୁ ଉଲ୍ଲେଖ କରି ଟୁଇଟ୍‌ କରିଛନ୍ତି। ସେତେବେଳେ ଉକ୍ତ ବେଞ୍ଚ୍‌ ପକ୍ଷରୁ କୁହାଯାଇଥିଲା ଯେ ବହୁ ଗବେଷକ ଓ ଐତିହାସିକଙ୍କ ମତରେ ସମର୍ଥ ରାମଦାସ ଓ ଛତ୍ରପତି ଶିବାଜୀ କେବେ ପରସ୍ପରକୁ ଭେଟି ନ ଥିଲେ। ଉଭୟ ଗୁରୁ ଓ ଶିଷ୍ୟ ଥିଲେ ବୋଲି କୌଣସି ପ୍ରମାଣ ନାହିଁ। କୋଶିୟାରୀଙ୍କ ବକ୍ତବ୍ୟକୁ ନେଇ ମହାରାଷ୍ଟ୍ର କଂଗ୍ରେସ ସଭାପତି ନାନା ପାଟୋଲେ କହିଛନ୍ତି ରାଜ୍ୟପାଳ ନିଜ ସାମ୍ବିଧାନିକ ପଦବୀକୁ ବ୍ୟବହାର କରି ଆର୍‌ଏସ୍‌ଏସ୍‌ର କାର୍ଯ୍ୟସୂଚୀକୁ ଧରି ଇତିହାସକୁ ବିକୃତ କରୁଛନ୍ତି।

Share