ମୁମ୍ବାଇ,୧।୮: ନିଜ ବୟାନକୁ ନେଇ ମହାରାଷ୍ଟ୍ର ରାଜ୍ୟପାଳ ଭାଗବତ ସିଂ କୋଶିଆରୀ କ୍ଷମା ମାଗିଛନ୍ତି। ଗୁଜୁରାଟ ଏବଂ ରାଜସ୍ଥାନ ସହିତ ମୁମ୍ବାଇକୁ ତୁଳନା କରି ମହାରାଷ୍ଟ୍ର ରାଜ୍ୟପାଳ ଭାଗବତ ସିଂ କୋଶିଆରୀ ବିବାଦ ଘେରକୁ ଆସିଥିଲେ। ସେ କହିଥିଲେ, ଯଦି ଗୁଜୁରାଟୀ ଏବଂ ରାଜସ୍ଥାନବାସୀ ରହିବେ ନାହିଁ ତେବେ ମୁମ୍ବାଇ ଆର୍ଥିକ ରାଜଧାନୀ ହୋଇ ରହିବ ନାହିଁ। ତେବେ ତାଙ୍କର ଏଭଳି ବକ୍ତବ୍ୟକୁ ନେଇ ଅନେକ ବିବାଦ ଦେଖାଦେଇଥିଲା। ଏହାକୁ ନେଇ ସୋମବାର ରାଜ୍ୟପାଳ କୋଶିଆରୀ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ମୁମ୍ବାଇର ବିକାଶରେ କିଛି ସମ୍ପ୍ରଦାୟର ଅବଦାନକୁ ପ୍ରଶଂସା କରିବାରେ ବୋଧହୁଏ ମୁଁ କିଛି ଭୁଲ କରିଦେଇଛି। କେବଳ ମହାରାଷ୍ଟ୍ର ନୁହେଁ ସମଗ୍ର ଭାରତର ବିକାଶରେ ସମସ୍ତଙ୍କର ବିଶେଷ ଅବଦାନ ରହିଛି। ବିଶେଷ କରି ସଂପୃକ୍ତ ରାଜ୍ୟର ଉଦାରତା ଏବଂ ସମସ୍ତଙ୍କୁ ସାଙ୍ଗରେ ନେଇଯିବାର ଉଜ୍ଜ୍ୱଳ ପରମ୍ପରା ଯୋଗୁ ଆଜି ଦେଶ ଅଗ୍ରଗତି ଦିଗରେ ଗତି କରୁଛି ବୋଲି ଭଗତ ସିଂ କୋଶିଆରୀ କହିଛନ୍ତି। ଗତ ତିନି ବର୍ଷ ମଧ୍ୟରେ ମୁଁ ମହାରାଷ୍ଟ୍ରର ଲୋକଙ୍କ ଭଲ ପାଇବା ପାଇଛି। ମହାରାଷ୍ଟ୍ର ଏବଂ ମରାଠୀ ଭାଷାର ସମ୍ମାନ ବଢ଼ାଇବାକୁ ବହୁ ଚେଷ୍ଟା କରିଛି। କିନ୍ତୁ ଉକ୍ତ ଭାଷଣରେ ଜାଣିଶୁଣି କିଛି ଭୁଲ ହୋଇଯାଇଛି। ତେବେ ଏହି ଭୁଲ ପାଇଁ ମହାରାଷ୍ଟ୍ର ଭଳିି ଏକ ମହାନ ରାଜ୍ୟକୁ ଅବମାନନା କରିବା କଳ୍ପନା ବି କରାଯାଇପାରିବ ନାହିଁ। ତେଣୁ ଏହି ନମ୍ର ରାଜ୍ୟ ସେବକଙ୍କୁ କ୍ଷମା କରି ନିଜର ବିଶାଳ ହୃଦୟ ଦେଖାଇବା ପାଇଁ କୋଶିଆରୀ ନିବେଦନ କରିଛନ୍ତି।