Categories: ଜାତୀୟ

ପାର୍ଲାମେଣ୍ଟରେ ମହାରାଷ୍ଟ୍ର ତାତି

ନୂଆଦିଲ୍ଲୀ,୨୨।୩: ମହାରାଷ୍ଟ୍ରରେ ଜାରି ରହିଥିବା ସଙ୍କଟ ଯୋଗୁ ପାର୍ଲାମେଣ୍ଟରେ ସୋମବାର ଅଚଳାବସ୍ଥା ସୃଷ୍ଟି ହୋଇଛି। ମହାରାଷ୍ଟ୍ରର ତାତିରେ ଉଭୟ ଗୃହର ସାଧାରଣ କାର୍ଯ୍ୟରେ ବାଧା ଦେଖାଦେଇଛି। ଉଭୟ ଲୋକ ସଭା ଏବଂ ରାଜ୍ୟ ସଭାରେ ଭାଜପା ପକ୍ଷରୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ସରକାରଙ୍କୁ ଟାର୍ଗେଟ୍‌ କରାଯାଇଛି। ରାଜ୍ୟ ସଭାରେ ଭାଜପା ପକ୍ଷରୁ ପ୍ରକାଶ ଜାଭେଡ୍‌କର କହିଛନ୍ତି ଯେ, ରାଜ୍ୟରେ ଖୋଦ୍‌ ଗୃହମନ୍ତ୍ରୀ ବେଆଇନ ଅସୁଲିରେ ସମ୍ପୃକ୍ତ। ଏହାର ପର୍ଦ୍ଦାଫାଶ ଏବେ ସାରା ଦେଶର ଜନସାଧାରଣଙ୍କ ସମ୍ମୁଖରେ ହୋଇଛି। ଏହାପରେ ଗୃହରେ ଅଚଳାବସ୍ଥା ଜାରି ରହିବାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ରାଜ୍ୟ ସଭାକୁ ମୁଲତବି ଘୋଷଣା କରାଯାଇଥିଲା। ଲୋକ ସଭାରେ ମଧ୍ୟ ସମାନ ସ୍ଥିତି ସୃଷ୍ଟି ହୋଇଥିଲା। ଭାଜପା ଏମ୍‌ପି ରାକେଶ ସିଂ ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ଇସ୍ତଫା ଦାବି କରିବା ସହିତ ଏହାର ଯାଞ୍ଚ୍‌ କେନ୍ଦ୍ରୀୟ ଏଜେନ୍ସି ଦ୍ୱାରା କରାଯିବା ପାଇଁ କହିଥିଲେ।

Share