ନୂଆଦିଲ୍ଲୀ,୧୮।୩: ପରମ ବୀର ସିଂଙ୍କୁ ମୁମ୍ବାଇର ପୋଲିସ କମିଶନର ପଦରୁ ହଟାଇ ଦିଆଯିବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ମହାରାଷ୍ଟ୍ରର ରାଜ୍ୟ ଗୃହମନ୍ତ୍ରୀ ଅନୀଲ ଦେଶମୁଖ। ମୁକେଶ ଅମ୍ବାନୀଙ୍କ ବାସଭବନ ସମ୍ମୁଖରେ ବିସ୍ଫୋରକ ଭର୍ତ୍ତି ଏସ୍ୟୁଭି ମିଳିଥିବା ଘଟଣାରେ ପରମ ବୀରଙ୍କ ବନ୍ଧୁ ତଥା ବରିଷ୍ଠ ପୋଲିସ ଅଧିକାରୀ ସଚିନ ଭାଜେ ଗିରଫ ହୋଇଛନ୍ତି। ଏହି ଘଟଣାର ତଦନ୍ତ କରୁଛି ଏନ୍ଆଇଏ ଓ ଏଟିଏସ୍। ଆଉ ତଦନ୍ତ ପ୍ରକ୍ରିୟାରେ ସ୍ବଚ୍ଛତା ବଜାୟ ରଖିବା ପାଇଁ ପରମ ବୀରଙ୍କୁ ବଦଳି କରାଯାଇଛି ବୋଲି ଏକ ସାକ୍ଷାତ୍କାରରେ କହିଛନ୍ତି ରାଜ୍ୟ ଗୃହ ମନ୍ତ୍ରୀ ଦେଶମୁଖ।
ଏହା ପ୍ରଶାସନିକ ସ୍ତରୀୟ ବଦଳି ନୁହେଁ। ଏନ୍ଆଇଏ ଓ ଏଟିଏସ୍ ତଦନ୍ତରୁ ସାମ୍ନାକୁ ଆସିଥିବା ତଥ୍ୟ ଆଧାରରେ ଏହି ପଦକ୍ଷେପ ନିଆଯାଇଛି। ତାଙ୍କର କିଛି ବନ୍ଧୁ ଗୁରୁତର ତ୍ରୁଟି କରିଛନ୍ତି, ଯାହା କ୍ଷମା ଯୋଗ୍ୟ ନୁହେଁ। ଏଣୁ ତାଙ୍କୁ ବଦଳି କରାଯାଇଛି।