ମୁମ୍ବାଇ,୨୩ ।୭: ଦେଶରେ ଆଜିବି ଏମିତି କିଛି ସ୍ଥାନ ଅଛି ଯେଉଁଠି ଲୋକେ କନ୍ୟା ପକ୍ଷକୁ ଯୌତୁକ ଦାବି କରୁଛନ୍ତି । ମହାରାଷ୍ଟ୍ରର ଔରଙ୍ଗାବଦରୁ ଏମିତି ଏକ ମାମଲା ସାମ୍ନାକୁ ଆସିଛି । ହେଲେ ଏହା ସାଧାରଣ ଯୌତୁକ ଠାରୁ ଟିକେ ଭିନ୍ନ । ଏଠାରେ ବର ପକ୍ଷ କନ୍ୟା ପକ୍ଷର ପରିବାରଙ୍କୁ ୨୧ଟି ନଖ ଥିବା କଇଁଛ ଓ ଲାବ୍ରାଡର କୁକୁର ଦେବାକୁ କହିଛନ୍ତି । ଏହାପରେ କନ୍ୟାପକ୍ଷ ପୋଲିସରେ ଅଭିଯୋଗ କରିବା ପରେ ପୋଲିସ ବରପକ୍ଷଙ୍କ ବିରୋଧରେ ଏଫ୍ଆଇଆର୍ ଦାଖଲ କରିଛି । ଏହି ଘଟଣା ଔରଙ୍ଗାବାର ଉସ୍ମାନପୁର ଅଞ୍ଚଳର ବୋଲି ଜଣାପଡିଛି । ୧୦ ଫେବୃୟାରୀରେ ଅଭିଯୁକ୍ତ ଯୁବକ ବିବାହ କରିଥିଲେ । ସେତେବେଳେ କନ୍ୟା ପକ୍ଷ ଯୌତୁକ ଆକାରରେ ୨ ଲକ୍ଷ ଟଙ୍କା ଓ ୧୦ ଗ୍ରାମ ସୁନା ଦେଇଥିଲେ । ହେଲେ ଏବେ ସେ କନ୍ୟା ପକ୍ଷକୁ କଇଁଛ ଓ କୁକୁର ମାଗିବାର କାରଣ ହେଉଛି ଯୁବକ ଜଣଙ୍କ କୁଆଡେ ଚାକିରି କରିବାକୁ ଏଗୁଡାକୁ ବ୍ୟବହାର କରିବେ । ହେଲେ କନ୍ୟାପକ୍ଷ ଏସବୁ ଦେବାକୁ ସକ୍ଷମ ନ ଥିବାରୁ ଏବେ ପୋଲିସ ବର ଓ ତାଙ୍କ ପରିବାରକୁ ଆଇପିସି ଧାରା ୪୨୦, ୪୦୬ ଓ ଧାରା ୩୪ ଆନୁଯାୟୀ, ଆପରାଧିକ ବିଶ୍ୱାସଘାତକ ଓ ଠକ ମାମଲା ରୁଜ୍ଜୁ କରିଛନ୍ତି । ତେବେ ଯାଞ୍ଚ ପରେ ଏମାନଙ୍କ ଉପରେ ଆହୁରି କିଛି ଧାରା ଲାଗିପାରେ ବୋଲି କୁହାଯାଉଛି ।