Categories: ଜାତୀୟ

ଶକ୍ତି ଦେଖାଇଲେ ଶରଦ, କହିଲେ ଭାଜପାକୁ ତା’ର ସ୍ଥାନ ନିଶ୍ଚିତ ଦେଖାଇବି

ମୁମ୍ବାଇ,୩।୭: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପି)ର ନେତା ଶରଦ ପାଓ୍ବାର ତାଙ୍କର ଶକ୍ତି ଦେଖାଇଛନ୍ତି। ଅଜିତ ପାଓ୍ବାର ଏନସିପିରୁ ଅଲଗା ହେବାର ଗୋଟିଏ ଦିନ ପରେ ଶରଦ ସତାରାରେ ସମର୍ଥକଙ୍କୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ଏନସିପି ନେତା କହିଛନ୍ତି, ଆଜି ଆମେ ସମସ୍ତେ ଏକଜୁଟ ହେବାର ସମୟ ଆସିଛି।

ପାୱାର ସୋମବାର ମହାରାଷ୍ଟ୍ରର ସତାରାରେ ପହଞ୍ଚି ଓ୍ବାଇ ବି ଚୌହାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସତାରାର କରାଡରେ ଥିବା ଓ୍ବାଇ ବି ଚୌହାନଙ୍କ ସ୍ମୃତିସ୍ଥଳରେ ପାର୍ଟି ସମର୍ଥକଙ୍କୁ ସମ୍ବୋଧିତ କରି ସେ କହିଛନ୍ତି ଯେ ବର୍ତ୍ତମାନ ଆମେ ସମସ୍ତେ ଏକଜୁଟ ହେବା ଆବଶ୍ୟକ। ଏହାପୂର୍ବରୁ ଶରଦ ପାୱାର ଏକ ରୋଡ ଶୋ କରି ନିଜର ଶକ୍ତି ପ୍ରଦର୍ଶନ କରିଥିଲେ।
ସେ କହିଛନ୍ତି, ମହାରାଷ୍ଟ୍ରକୁ ଜାତି ଓ ଧର୍ମ ନାମରେ ବିଭକ୍ତ କରାଯାଉଛି। ଧାର୍ମିକ ବିବାଦ ସୃଷ୍ଟି ହେଉଛି। ଆମେ ମହାରାଷ୍ଟ୍ରକୁ ମଜବୁତ କରିବୁ। ମହାରାଷ୍ଟ୍ରକୁ ଏହାର ଏକତା ଦେଖାଇବାକୁ ପଡ଼ିବ। ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ କରି ଏନସିପି ମୁଖ୍ୟ କହିଛନ୍ତି, ଭାଜପା ସର୍ବଦା ଏହି ପ୍ରକାର ଖେଳ ଖେଳୁଛି। ତାକୁ ତା’ର ଉପଯୁକ୍ତ ସ୍ଥାନ ଦେଖାଇବାକୁ ପଡିବ।

Share