Categories: ଜାତୀୟ

ଯିଏ ୨୦୧୯ରେ ଅଜିତ ପାଓ୍ବାରଙ୍କ ବିଦ୍ରୋହକୁ କରିଥିଲେ ବିଫଳ, ଏବେ ତାଙ୍କୁ ଶରଦ ପାଓ୍ବାର ଦେଲେ ବଡ ଦାୟିତ୍ୱ

ମୁମ୍ବାଇ,୫।୭: ମହାରାଷ୍ଟ୍ର ରାଜନୀତିରେ ରାଜନୈତିକ ଝଡ ଲାଗି ରହିଛି। ଦୁଇ ଦଳର ମୁଖିଆ ନିଜ ଦଳର ମାଲିକାନା ନେଇ ପରସ୍ପରକୁ କାଦୁଅ ଫୋଫାଡିବାରେ ଲାଗିଛନ୍ତି। ତେବେ ଏହାରି ଭିତରେ ଶରଦ ପାଓ୍ବାରଙ୍କ ଜଣେ ବିଶ୍ୱସ୍ଥଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ସେ ହେଉଛନ୍ତି ସୋନିଆ ଦୁହନ। ସୋନିଆଙ୍କୁ ଏନସିପିର ଶରଦଙ୍କ ଟିମ୍‌ରେ ସଙ୍କଟ ମୋଚନ ଭାବେ ଦେଖାଯାଏ। ଶରଦଙ୍କ ଟିମ୍‌ରେ ଦେଖାଦେଇଥିବା ଅନେକ ବିବାଦକୁ ସେ ଚୁଟ୍‌କିରେ ସମାଧାନ କରିଥା’ନ୍ତି।

୨୦୧୯ରେ ସୋନିଆ ଗଣମାଧ୍ୟମରେ ଚର୍ଚ୍ଚାକୁ ଆସିଥିଲେ। ସେତେବେଳେ ଅଜିତ ଗୃହଭେଦି ହୋଇ ଦଳର ୪ ବିଧାୟକଙ୍କୁ ହରିୟାଣାର ଗୁରୁଗ୍ରାମକୁ ନେଇ ଯାଇଥିଲେ। ତେବେ ସୋନିଆ ଗୁରୁଗ୍ରାମରେ ପହଞ୍ଚି ବିଦ୍ରୋହୀ ବିଧାୟକଙ୍କୁ ବୁଝାସୁଛା କରି ଦଳକୁ ଫେରାଇ ଆଣିଥିଲେ। ଏହି ଚାରିଜଣଙ୍କ ମଧ୍ୟରେ ଦିନ୍ଦୋରୀ ବିଧାୟକ ନରହରୀ ଜିରୱାଲ, ଶାହାପୁର ବିଧାୟକ ଦୌଲତ ଦାରୋଡା, ଅମଲନେର ବିଧାୟକ ଅନିଲ ପାଟିଲ ଏବଂ କଲୱାନ ବିଧାୟକ ନିତିନ ପାୱାର ସାମିଲ୍‌ ଥିଲେ। ତେବେ ଏହିପରି ଅଜିତ ପାୱାର ଭାଜପା ସହ ମିଶି ସରକାର ଗଠନ କରିବାର ସ୍ବପ୍ନକୁ ସୋନିଆ ଭାଙ୍ଗି ଦେଇଥିଲେ।

ସୂଚନାଯୋଗ୍ୟ, ଅଜିତଙ୍କ ଦଳ ଛାଡିବା ପରେ ସୋମବାର ଶରଦ ପାୱାର ଏନସିପି ଛାତ୍ର ୱିଙ୍ଗର ଜାତୀୟ ସଭାପତି ସୋନିଆଙ୍କ ପଦୋନ୍ନତି କରିଥିଲେ। ଶରଦ ତାଙ୍କୁ ନୂଆଦିଲ୍ଲୀରେ ଏନସିପି କେନ୍ଦ୍ରୀୟ କାର୍ଯ୍ୟାଳୟର ପ୍ରଭାରୀ ଦାୟିତ୍ୱରେ ନିଯୁକ୍ତ କରିଥିଲେ।

୩୦ ବର୍ଷିୟ ସୋନିଆ କୁରୁକ୍ଷେତ୍ର ବିଶ୍ୱବିଦ୍ୟାଳୟରେ ପାଡ ପଢିବା ସମୟରେ ରାଜନୀତିରେ ପାଦ ଥାପିଥିଲେ। ପାଇଲଟ ଟ୍ରେନିଂ ପାଇଁଁ ପୁଣେରେ ଥିବାବେଳେ ସେ ଏନସିପି ସହିତ ପରିଚିତ ହୋଇଥିଲେ। ଏହା ପରେ ସୋନିଆ ରାଜନୀତିରେ ସକ୍ରିୟ ଭୂମିକାରେ ନଜର ଆସିଥିଲେ। ସୋନିଆ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଛାତ୍ର ୱିଙ୍ଗର ମୁଖ୍ୟ ଥିଲେ। ଏଥିସହ ସେ ଏନସିପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ। ସୋନିଆ ନିଜକୁ ମହାରାଷ୍ଟ୍ରର ଅନ୍ୟ ନେତାଙ୍କଠାରୁ ଦୂରେଇ ରଖନ୍ତି। ସେ ଛାତ୍ର ଓ ଯୁବ ଶାଖାଗୁଡ଼ିକର ରାଜ୍ୟ ୟୁନିଟ କାର୍ଯ୍ୟରେ କେବେ ହସ୍ତକ୍ଷେପ କରନ୍ତି ନାହିଁ। ସେ ଏନସିପି ମୁଖ୍ୟ ଶରଦ ପାୱାର ଏବଂ ତାଙ୍କ ଝିଅ ସୁପ୍ରିୟା ସୁଲେଙ୍କ ନିକଟତର ଅଟନ୍ତି।

Share