Categories: ଜାତୀୟ

ଶରଦ ପାୱାରଙ୍କୁ ‘ଔରଙ୍ଗଜେବଙ୍କ ପୁନର୍ଜନ୍ମ’ କହିବା ଉପରେ ବିବାଦ, ଏନ୍‌ସିପି ଦେଲା ଚେତାବନୀ

ମୁମ୍ବାଇ, ୯।୬: ମହାରାଷ୍ଟ୍ରରେ ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ ଉପରେ ଚାଲିଥିବା ବିବାଦ ବନ୍ଦ ହେବାର ନାଁ ନେଉନାହିଁ। ଭାଜପା ନେତା ନୀଳେଶ ରାଣେ ଏନ୍‌ସିପି ସୁପ୍ରିମୋ ଶରଦ ପାୱାରଙ୍କୁ ‘ଔରଙ୍ଗଜେବଙ୍କ ପୁନର୍ଜନ୍ମ’ ବୋଲି କହିବା ପରେ ବିବାଦ ଆହୁରି ଗଭୀର ହୋଇଯାଇଛି। ଏହି ପ୍ରସଙ୍ଗରେ ସାରା ରାଜ୍ୟରେ ବିରୋଧ ପ୍ରଦର୍ଶନ କରିବାକୁ ଏନ୍‌ସିପି ଚେତାବନୀ ଦେଇଛି। ଏହା ସହିତ ଭାଜପାର ବରିଷ୍ଠ ନେତାଙ୍କଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି।

ବୁଧବାର ମହାରାଷ୍ଟ୍ରର କୋହ୍ଲାପୁରରେ ଏକ କାର୍ଯ୍ୟକ୍ରମ ସମୟରେ ଔରଙ୍ଗଜେବଙ୍କ ଚିତ୍ର ଦେଖାଇବା ନେଇ ବିବାଦ ଦେଖାଦେଇଥିଲା। ହିନ୍ଦୁ ସଂଗଠନମାନେ ଏଥିରେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏହା ପରେ ସୋସିଆଲ ମିଡିଆରେ ଔରଙ୍ଗଜେବ ଏବଂ ଟିପୁ ସୁଲତାନଙ୍କୁ ଗୌରବାନ୍ବିତ ପୋଷ୍ଟ ମଧ୍ୟ ପୋଷ୍ଟ କରାଯାଇଥିଲା। ଯାହା ପରେ କିଛି ଲୋକ ଘର ଏବଂ ଦୋକାନ ଉପରେ ପଥର ଫିଙ୍ଗିଥିଲେ। ଯେଉଁଥିପାଇଁ କୋହ୍ଲାପୁରରେ ପରିସ୍ଥିତି ତିକ୍ତ ହୋଇଯାଇଥିଲା।

ଏହି ଘଟଣା ପରେ ଏନ୍‌ସିପି ମୁଖ୍ୟ ଶରଦ ପାୱାର ସଂଖ୍ୟାଲଘୁଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଏହା ଉପରେ ଭାଜପା ନେତା ନୀଳେଶ ରାଣେ ପାୱାରଙ୍କୁ ଟାର୍ଗେଟ କରି ଟୁଇଟ କରି କହିଛନ୍ତି ଯେ ‘ପାୱାର ସାହେବ ମୁସଲମାନ ସମ୍ପ୍ରଦାୟ ପାଇଁ ଚିନ୍ତିତ, କାରଣ ନିର୍ବାଚନ ପାଖେଇ ଆସୁଛି। ଏଥିସହ ସେ ଶରଦ ପାୱାରଙ୍କୁ ‘ଔରଙ୍ଗଜେବଙ୍କ ପୁନର୍ଜନ୍ମ’ ବୋଲି କହିଥିଲେ।

ଏନ୍‌ସିପି ନୀଳେଶ ରାଣେଙ୍କ ଟୁଇଟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛି ଏବଂ ଭାଜପା ନେତାଙ୍କୁ ଏନ୍‌ସିପି ମୁଖିଆଙ୍କ ଭାବମୂର୍ତ୍ତିକୁ ଅପବିତ୍ର କରିଥିବା ଅଭିଯୋଗ କରିଛି। ଏନ୍‌ସିପି ମଧ୍ୟ ଏହି ଟୁଇଟ ଡିଲିଟ କରିବାକୁ ଦାବି କରିଛି କିନ୍ତୁ ନୀଳେଶ ରାଣେ ତାହା କରିନାହାଁନ୍ତି। ଏନ୍‌ସିପି ମୁଖପାତ୍ର ମହେଶ ତାପସେ କହିଛନ୍ତି ଯେ ରାଣେଙ୍କ ଟୁଇଟ୍‌କୁ ବିରୋଧ କରି ଏନ୍‌ସିପି ଶୁକ୍ରବାରଠାରୁ ଆନ୍ଦୋଳନ ଆରମ୍ଭ କରିବ। ଅନ୍ୟପକ୍ଷରେ, ନିଳେଶ ରାଣେଙ୍କ ଟୁଇଟ୍‌କୁ ଡିଲିଟ କରିବାକୁ ଏନ୍‌ସିପି ନେତା କ୍ଲାଇଡ କ୍ରାଷ୍ଟୋ ଟୁଇଟର ଇଣ୍ଡିଆକୁ ଦାବି କରିଛନ୍ତି।

 

Share