Categories: ଜାତୀୟ

ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପରେ ଆସନ୍ତା କାଲି ହୋଇପାରେ ମହାରାଷ୍ଟ୍ର କ୍ୟାବିନେଟର ବୈଠକ

ମୁମ୍ବାଇ,୩।୭: ଏକନାଥ ଶିନ୍ଦେ ସରକାରଙ୍କ ୯ ନୂଆ ବିଧାୟକ ଶପଥ ଗ୍ରହଣ କରିବା ପରେ ଜୁଲାଇ ୪ ମଙ୍ଗଳବାର ମହାରାଷ୍ଟ୍ର କ୍ୟାବିନେଟର ବୈଠକ ହୋଇପାରେ ବୋଲି କୁହାଯାଉଛି। ଏହି ବୈଠକ ମନ୍ତ୍ରଣାଳୟରେ ହେବ।

ରାଜନୀତିର ଏହି ଛକାପଞ୍ଝା ଖେଳ ଭିତରେ ସୋମବାର ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ନରଭେକର ଏବଂ ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶଙ୍କ ମଧ୍ୟରେ ବୈଠକ ପ୍ରାୟ ୨୦ ମିନିଟ ଧରି ଚାଲିଥିଲା।
ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ଏକ ବଡ଼ ରାଜନୈତିକ ଉତ୍ତେଜନା ଦେଖାଦେଇଛି। ରାଜନୈତିର ଧୁରନ୍ଧର ଅଜିତ ପାୱାର ଚାଚା ଶରଦ ପାୱାରଙ୍କୁ ଛାଡି ମହାରାଷ୍ଟ୍ରର ଭାଜପା-ଶିନ୍ଦେ ମେଣ୍ଟ ସରକାରରେ ଯୋଗ ଦେଇଛନ୍ତି। ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ଭାବରେ ମଧ୍ୟ ଶପଥ ଗ୍ରହଣ କରିନେଲେଣି। ତାଙ୍କ ସହ ଆଉ ଆଠ ଜଣ ବିଧାୟକ ମଧ୍ୟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ।
ଏନସିପିରୁ ବିଦ୍ରୋହ ପରେ ଅଜିତ ପାୱାର କହିଛନ୍ତି- ‘ଯଦି ଏନସିପି ଶିବସେନା ସହ ଯାଇପାରିବ ତେବେ ଭାଜପା ସହି କାହିଁକି ନୁହେଁ, ଦେଶର ବିକାଶ ପାଇଁ ସେ ଶିନ୍ଦେ ସରକାରରେ ଯୋଗ ଦେଇଥିବା କହିଛନ୍ତି। ବିରୋଧୀ ଦଳରେ କେହି ନାହାଁନ୍ତି ଯିଏ ଦେଶର ଭବିଷ୍ୟତ ବିଷୟରେ ଚିନ୍ତା କରୁଛନ୍ତି। ଆଗାମୀ ଦିନରେ ଆହୁରି ଅନେକ ଚେହେରା କ୍ୟାବିନେଟରେ ଯୋଗଦେବେ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଗତ ୯ବର୍ଷ ମଧ୍ୟରେ ଦେଶ ଭଲ ଚାଲିଛି। ମୋଦିଙ୍କୁ ପରାସ୍ତ କରିବାକୁ ବିରୋଧୀ ଦଳ ଏକାଠି ହୋଇଛନ୍ତି କିନ୍ତୁ ସେମାନେ ମୋଦିଙ୍କୁ ପରାସ୍ତ କରିବାରେ ଅସମର୍ଥ ବୋଲି ମତ ରଖିଛନ୍ତି ଅଜିତ।

 

Share