Categories: ଜାତୀୟ

୫୩ ଶିବସେନା ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍‌

ମୁମ୍ବାଇ,୧୦।୭: ମହାରାଷ୍ଟ୍ରରେ ଏକନାଥ ଶିନ୍ଦେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ ରାଜ୍ୟରେ ରାଜନୈତିକ ଡ୍ରାମା ଶେଷ ହୋଇନାହିଁ। ମହାରାଷ୍ଟ୍ର ବିଧାନସଭାର ମୁଖ୍ୟ ଶାସନ ସଚିବ ରାଜେନ୍ଦ୍ର ଭାଗବତ ୫୩ ଶିବସେନା ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଶିନ୍ଦେଙ୍କ ଗୋଷ୍ଠୀର ୩୯ ବିଧାୟକ ଏବଂ ଉଦ୍ଧବଙ୍କ ଗୋଷ୍ଠୀ ୧୪ ଜଣ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଏକ ସପ୍ତାହ ମଧ୍ୟରେ ଶିବସେନା ବିଧାୟକମାନଙ୍କୁ ଏହି ନୋଟିସର ଜବାବ ଦେବାକୁ ପଡିବ। ସୂଚନାଯୋଗ୍ୟ, ଜୁଲାଇ ୩ ଓ ୪ ତାରିଖରେ ବିଧାନସଭାରେ ଆସ୍ଥା ଭୋଟ ବେଳେ ଉଭୟ ପକ୍ଷର ବିଧାୟକ ହ୍ବିପ୍‌କୁ ଅବହେଳା କରିଛନ୍ତି। ତେଣୁ ସେମାନଙ୍କୁ ଅଯୋଗ୍ୟ ଘୋଷଣା କରାଯାଉ ବୋଲି ଉଭୟ ପକ୍ଷର ବିଧାୟକ ଅଭିଯୋଗ କରିଛନ୍ତି। ତେବେ ଶିନ୍ଦେଙ୍କ ପକ୍ଷରୁ ହୋଇଥିବା ଅଭିଯୋଗରେ ଆଦିତ୍ୟ ଠାକ୍‌ରେଙ୍କ ନାଁ ନାହିଁ। ଶିବସେନାର ୫୫ ବିଧାୟକ ଥିବା ବଳେ ଆଦିତ୍ୟ ଠାକରେଙ୍କ ବ୍ୟତୀତ ଆଉ ଜଣେ ବିଧାୟକଙ୍କ ନାଁରେ ଅଭିଯୋଗ ନାହିଁ। ତେବେ ୫୩ ବିଧାୟକଙ୍କୁ ସପ୍ତାହକ ଭିତରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୋମବାର ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ହେବ।
ଆସନ୍ତା ସପ୍ତାହରେ ମହାରାଷ୍ଟ୍ର ସରକାରଙ୍କ କ୍ୟାବିନେଟକୁ ବିସ୍ତାର କରାଯାଇପାରେ ବୋଲି କୁହାଯାଉଛି। ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କ ସହ ପରାମର୍ଶ ପରେ ଆସନ୍ତା ସପ୍ତାହରେ ସେ ତାଙ୍କ କ୍ୟାବିନେଟ ବିସ୍ତାର କରିବେ ବୋଲି ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ କହିଛନ୍ତି।

Share