ମୁମ୍ବାଇ,୨୩।୭: ମହାରାଷ୍ଟ୍ରରେ ଲଗାଣ ବର୍ଷା ଯୋଗୁ ପରିସ୍ଥିତି ଅସମ୍ଭାଳ ହୋଇପଡ଼ିଛି। ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ସ୍ଥାନ ଜଳାର୍ଣ୍ଣବ ହେବା ସହ ନଦୀଗୁଡ଼ିକରେ ପାଣି ଫୁଲିଯାଇଛି। ଫଳରେ ଅନେକ ଲୋକ ପାଣି ଘେରରେ ରହିଛନ୍ତି। ଅନ୍ୟପଟେ ରାୟଗଡ଼ ଜିଲା ମହାଡ ଗାଁର ୩ଟି ସ୍ଥାନରେ ଭୂସ୍ଖଳନ ଯୋଗୁ ୩୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଛି। ଭଗ୍ନାବଶେଷ ତଳେ ଆହୁରି ଲୋକ ଫଶିରହିଥିବା ନେଇ ପୋଲିସ ପକ୍ଷରୁ କୁହାଯାଉଛି। ତେଣୁ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଇପାରେ। ଅନ୍ୟପଟେ ଏନ୍ଡିଆରଏଫ୍ ଟିମ୍ ମୁମ୍ବାଇରୁ ପାଖାପାଖି ୧୬୦ କିଲୋମିଟର ଦୂର ମହାଡ ଗ୍ରାମରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଖୁବ୍ଶୀଘ୍ର ଆଉ ଏକ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିବ ବୋଲି ସ୍ଥାନୀୟ ପୋଲିସ ସୂଚନା ଦେଇଛି। ସେହିପରି ରାଜ୍ୟର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପରିସ୍ଥିତି ଉପରେ ନଜର ରଖିଛନ୍ତି।