ସିକ୍ୟୁରିଟି ଗାର୍ଡ ଭାବେ କରୁଥିଲେ କାମ: ଏବେ ଚା’ ଷ୍ଟାଟ୍‌ଅପ୍‌ କରି ମାସକୁ ୨ ଲକ୍ଷ କମାଉଛନ୍ତି ଏହି ଯୁବକ

ପୁଣେ: ଚା’ ଷ୍ଟାଟ୍‌ଅପ୍‌ରୁ ଲକ୍ଷପତି। ଏଭଳି କିଛି କାରନାମା କରିଦେଖାଇଛନ୍ତି ମହାରାଷ୍ଟ୍ରର ପୁଣେରେ ରହୁଥିବା ରେଭେନ୍‌ ସିନ୍ଦେ। ୨୦୧୯ରେ ସେ ଷ୍ଟାଟ୍‌ଅପ୍‌ ଆରମ୍ଭ କରିଥିବା ବେଳେ ଏବେ ସେ ମାସକୁ ୨ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି।

ରେଭେନ୍‌ ପୂର୍ବରୁ ସିକ୍ୟୁରିଟି ଗାର୍ଡ(ସୁରକ୍ଷାକର୍ମୀ) ଭାବେ କାମ କରୁଥିଲେ। ୨୦୧୯ ଡିସେମ୍ବରରେ ତାଙ୍କ ଚାକିରି ଚାଲିଯାଇଥିଲା। ଏହାପରେ ଜୁନ ୨୦୨୦ରେ ସେ ନିଜର ଷ୍ଟାଟ୍‌ଅପ୍‌ ଆରମ୍ଭ କରିଥିଲେ। ଏବେ ମାସକୁ ତାଙ୍କର ୫୦ହଜାର ଟଙ୍କା ଲାଭ ହେଉଛି। ଏବେ ସେ ୫ଜଣ କର୍ମଚାରୀ ରଖିଛନ୍ତି। ସେମାନେ ଦିନକରେ ୭୦୦ କପ୍‌ ଚା ବିକ୍ରି କରିଥାନ୍ତି।

ଛଅ ବର୍ଷ ପୂର୍ବେ କାମ ଅନ୍ବେଷଣରେ ରେଭେନ୍‌ ପୁଣେ ଆସିଥିଲେ। ପରେ ସୁରକ୍ଷାକର୍ମୀ ଭାବେ କାମ କରି ପରିବାର ପ୍ରତିପୋଷଣ କରୁଥିଲେ। ସେଥିରୁ ତାଙ୍କୁ ମାସକୁ ୧୨ହଜାର ଟଙ୍କା ମିଳୁଥିଲା। ହେଲେ ଡିସେମ୍ବରରେ ଚାକିରି ଚାଲିଯାଇଥିଲା। ପରେ ସେ ଏକ ଜାଗା ଭଡ଼ାରେ ନେଇ ସେଠାରେ ଚା’ ଏବଂ ସ୍ନାକ୍ସର ଦୋକାନ ଖୋଲିଥିଲେ। ହେଲେ ଲକ୍‌ଡାଉନ୍‌ ତାଙ୍କୁ ଅସୁବିଧାରେ ପକାଇଥିଲା। ଜୁନ୍‌ରୁ ଧିରେ ଧିରେ ସବୁକିଛି ସ୍ବାଭାବିକ ହେବା ପରେ ଏବେ ବିକ୍ରି ପୂର୍ବଭଳି ହେଉଛି। ବିଶେଷକରି ସରକାରୀ/ବେସରକାରୀ କାର୍ଯ୍ୟାଳୟକୁ ମାଗଣା ଚା’ ପଠାଇ ସେ କାମ ଆରମ୍ଭ କରିଥିଲେ। ଧିରେ ଧିରେ ଚା’କୁ ଲୋକେ ଭଲପାଇବା ପରେ ସେ ଟଙ୍କା ନେଉଛନ୍ତି। ଅଦା ଚା’ ସହ କଫି ଏବଂ ଗରମ କ୍ଷୀର ମଧ୍ୟ ସେ ଗ୍ରାହକଙ୍କୁ ଯୋଗାଇ ଦେଉଛନ୍ତି।

ଚା’ର ଛୋଟ କପ୍‌ ପିଛା ୬ ଟଙ୍କା ଏବଂ ବଡ୍‌ କପ୍‌ର ମୂଲ୍ୟ ୧୦ ଟଙ୍କା ରହିଛି। ଏବେ ତାଙ୍କର ପାଖାପାଖି ୭୦୦ କପ୍‌ ବିକ୍ରି ହେଉଛି। ଏହିପରି ଦୈନିକ ୨୦୦୦ ଟଙ୍କା ଲାଭ ହେଉଛି। ଏପରିକି ମାସକୁ ୨ ଲକ୍ଷ ରୋଜଗାର ହେଉଛି। ସେଥିରୁ ୫୦ହଜାର ଲାଭ ରହିଥିବା ରେଭେନ୍‌ କହିଛନ୍ତି।

Share