Categories: ଖେଳ

ମହାରାଷ୍ଟ୍ର ଦଳଗତ ଚାମ୍ପିୟନ

ଭୁବନେଶ୍ୱର, ୬।୩ (କ୍ରୀଡ଼ା ପ୍ରତିନିଧି): ସ୍ଥାନୀୟ କିଟ୍‌ ଷ୍ଟାଡିୟମରେ କର୍ମଚାରୀ ଭବିଷ୍ୟନିଧି ସଂଗଠନ ସର୍ବଭାରତୀୟ ଆଥଲେଟିକ୍‌ ଓ ଇନ୍‌ଡୋର କ୍ରୀଡ଼ା ଉଦ୍‌ଯାପିତ ହୋଇଯାଇଛି। ଏଥିରେ ମହାରାଷ୍ଟ୍ର ଦଳଗତ ଚାମ୍ପିୟନ ହୋଇଥିବାବେଳେ କେରଳର କ୍ଲିମେଣ୍ଟ ଅଗଷ୍ଟିନ ଓ ତାମିଲନାଡ଼ୁର ପି. ଶିବକୁମାର ପୁରୁଷ ବିଭାଗରେ ଯୁଗ୍ମ ବିଜେତା ହୋଇଛନ୍ତି।

ସେହିପରି ମହାରାଷ୍ଟ୍ରର ରାଧିକା ଗୁପ୍ତା ମହିଳା ବିଭାଗର ବିଜେତା ହୋଇଛନ୍ତି। ଉଦ୍‌ଯାପନୀ ଉତ୍ସବରେ ଅଲିମ୍ପିଆନ ଅନୁରାଧା ବିଶ୍ୱାଳ ମୁଖ୍ୟ ଅତିଥିଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ କେନ୍ଦ୍ରୀୟ ଆୟୁକ୍ତ ଓଡ଼ିଶା ପ୍ରଭାରୀ ପି. ବୀରଭଦ୍ର ସ୍ବାମୀ, ଆଞ୍ଚଳିକ କମିଶନର-୧ ପି.ବି. ବର୍ମା, ଆଞ୍ଚଳିକ କମିଶନର-୨ ଗୌରବ ମହାନ୍ତି, ସହାୟକ କମିଶନର ସଞ୍ଜୟ କୁମାର ରଥ, କିଟ୍‌ ଓ କିସ୍‌ର କ୍ରୀଡ଼ା ମହାନିର୍ଦ୍ଦେଶକ ଗଗନେନ୍ଦୁ ଦାଶ, ସହାୟକ କମିଶନର ମୌସୁମୀଲତା ପାଢ଼ୀ, ସୁବ୍ରତ ଦାସଏବଂ କେନ୍ଦ୍ରୀୟ ଖେଳ ପ୍ରୋତ୍ସାହନ (ସିଏସ୍‌ପିବି) ପକ୍ଷରୁ ବିକ୍ରମ ସିଂ ତୋମାର ପ୍ରମୁଖ ଅନ୍ୟତମ ଅତିଥିଭାବେ ଯୋଗ ଦେଇଥିଲେ। ପ୍ରତିଯୋଗିତାରେ ଓଡ଼ିଶା ଖେଳାଳିଙ୍କ ପ୍ରଦର୍ଶନ ମଧ୍ୟ ଭଲ ରହିଥିଲା।

ରାଜଶ୍ରୀ ଜେନା ଶଟ୍‌ପୁଟ୍‌ ମହିଳା ବର୍ଗରେ ସ୍ବର୍ଣ୍ଣ, କିରଣ ପ୍ରସାଦ ମଲିକ ପୁରୁଷ ବର୍ଗ ଲଙ୍ଗଜମ୍ପରେ ବ୍ରୋଞ୍ଜ, କିର୍ତ୍ତୀ ଚନ୍ଦ୍ର ପ୍ରଧାନ ପୁରୁଷ ବର୍ଗ ୧୫୦୦ ମିଟର ରେସ୍‌ରେ ବ୍ରୋଞ୍ଜ, ନ୍ୟୁଟନ ବେହେରା ପୁରୁଷ ୫୦ ମିଟର ଦିବ୍ୟାଙ୍ଗ ବର୍ଗରେ ବ୍ରୋଞ୍ଜ ଏବଂ ପ୍ରଶାନ୍ତ ବାରିକ ଓ ମାଧୁରୀ ବ୍ୟାଡ୍‌ମିଣ୍ଟନ ମିକ୍ସଡ ଡବଲ୍ସରେ ରନରଅପ୍‌ ବିବେଚିତ ହୋଇଥିଲେ। ଖୁବ୍‌ କମ୍‌ ସମୟ ମଧ୍ୟରେ ଆଞ୍ଚଳିକ ଭବିଷ୍ୟନିଧି କାର୍ଯ୍ୟାଳୟ ପ୍ରତିଯୋଗିତାକୁ ସଫଳତାର ସହ ଆୟୋଜନ କରିଥିବାରୁ ଅତିରିକ୍ତ କେନ୍ଦ୍ରୀୟ ଆୟୁକ୍ତ ପି. ବୀରଭଦ୍ର ସ୍ବାମୀ ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଥିଲେ। ସ୍ଥାନୀୟ ଆଞ୍ଚଳିକ କମିଶନର-୨ ଗୌରବ ମହାନ୍ତି ବିବରଣୀ ପାଠ କରିଥିବାବେଳେ ପ୍ରବର୍ତ୍ତନ ଅଧିକାରୀ ଅଲେଖ ଚନ୍ଦ୍ର ସାହୁ ଏବଂ ମୀନତି ପଣ୍ଡା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

Share