Categories: ଜାତୀୟ

ସ୍ବାମୀଙ୍କ ସହ ଝଗଡା ହେବାରୁ ୬ ପିଲାଙ୍କୁ କୂଅରେ ଫିଙ୍ଗି ଦେଲେ ମହିଳା

ପୁଣେ,୩୧।୫: ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଏକ ସାଧାରଣ କଥା। କିନ୍ତୁ ବେଳେବେଳେ ଏହି ଛୋଟ ଝଗଡା ଅତ୍ୟନ୍ତ ଗମ୍ଭୀର ହୋଇଯାଏ। ମହାରାଷ୍ଟ୍ରର ରାୟଗଡରୁ ଏପରି ଏକ ମାମଲା ସାମ୍ନାକୁ ଆସିଛି। ଏଠାରେ ସ୍ବାମୀଙ୍କ ସହ ଝଗଡା ହେବାରୁ ରାଗରେ ମହିଳା ଜଣକ ନିଜର ୬ ପିଲାଙ୍କୁ କୂଅରେ ଫିଙ୍ଗି ନିଜେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। ଏହି ଘଟଣାରେ ୬ ପିଲାଙ୍କର ମୃତ୍ୟୁ ଘଟିଛି।

ସୂଚନାନୁସାରେ, ଏହି ଘଟଣା ରାୟଗଡର ମହାଡ ତାଲୁକା ଅଞ୍ଚଳରେ ଘଟିଛି। ରୁନା ସାହାଣୀ ନାମ୍ନୀ ଜଣେ ମହିଳା ତାଙ୍କ ସ୍ବାମୀଙ୍କ ସହ କିଛି ପ୍ରସଙ୍ଗରେ ଝଗଡା କରିଥିଲେ। ଝଗଡା ପରେ ରୁନା ଭୟଙ୍କର ପଦକ୍ଷେପ ସ୍ବରୂପ ପ୍ରଥମେ ତାଙ୍କର ୬ ପିଲାଙ୍କୁ କୂଅରେ ଫିଙ୍ଗିଦେଲେ ଏବଂ ପରେ ନିଜେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। ଯଦିଓ ଏହି ଘଟଣାରେ ରୁନା ମରଣ ମୁହଁରୁ ବର୍ତ୍ତି ଯାଇଥିଲେ କିନ୍ତୁ ତାଙ୍କର ୬ ସନ୍ତାନଙ୍କର ମୃତ୍ୟୁ ହୋଇଥିଲା।
ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତ ଶିଶୁଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ସ୍ଥାନୀୟ ବିଧାୟକ ଭରତ ଗୋଗାଭଲେ ଘଟଣାସ୍ଥଳକୁ ଯାଇ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ ଏବଂ ସମସ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଘଟଣା ପରେ ଗାଁରେ ଶୋକର ବାତାବରଣ ସୃଷ୍ଟି ହୋଇଛି।

Share