Categories: ଜାତୀୟ

ସୁଶାନ୍ତଙ୍କ ମାମଲାରେ ସିବିଆଇ ତଦନ୍ତ କରାଇବାର ଅଧିକାର କେବଳ ମହାରାଷ୍ଟ୍ରର, ରାଜନୀତି କରୁଛନ୍ତି ନୀତୀଶ: ପ୍ରିୟଙ୍କା

ମୁମ୍ବାଇ, ୪।୮: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ମଙ୍ଗଳବାର ବିହାର ସରକାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଛନ୍ତି। ଯାହାକୁ ନେଇ ଏବେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଏହି ନିଷ୍ପତ୍ତିକୁ ଶିବସେନା ବିରୋଧ କରିଛି। ଶିବସେନା ନେତ୍ରୀ ତଥା ରାଜ୍ୟସଭା ସଦସ୍ୟ ପ୍ରିୟଙ୍କା ଚର୍ତୁବେଦୀ ଏହାକୁ ନେଇ ନୀତୀଶ କୁମାରଙ୍କୁ ଟାର୍ଗେଟ କରିଛନ୍ତି। ଏଥିସହ ତାଙ୍କ ଉପରେ ଅଭିଯୋଗ ଆଣି ପ୍ରିୟଙ୍କା କହିଛନ୍ତି, ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ନୀତିଶ ରାଜନୀତି କରୁଛନ୍ତି। ତାଙ୍କର ସୁପାରିଶ ସାମ୍ବିଧାନିକ ଆଇନଗତ କିମ୍ବା ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ନୁହେଁ। ଆଇନ ଶୃଙ୍ଖଳା ଏକ ରାଜ୍ୟର ବିଷୟ। ଏହି ମାମଲାରେ ସିବିଆଇ ତଦନ୍ତର ନିର୍ଣ୍ଣୟ କେବଳ ମହାରାଷ୍ଟ୍ର ସରକାର ନେଇପାରନ୍ତି। ଏହା ତାଙ୍କ ଅଧିକାର ବିହାର ସରକାରଙ୍କ ନୁହେଁ ବୋଲି ପ୍ରିୟଙ୍କା କହିଛନ୍ତି। ଅନ୍ୟପଟେ ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି, ଆମେ ବି ଚାହୁଁଛୁ ସତ ସାମ୍ନାକୁ ଆସୁ। ଏହାକୁ ନେଇ ରାଜନୀତି ନ କରାଯାଉ ବୋଲି ସଞ୍ଜୟ କହିଛନ୍ତି। ସୂଚନାଯୋଗ୍ୟ, ସୁଶାନ୍ତଙ୍କ ବାପା କେ.କେ ସିଂହ ଏହି ମାମଲାର ସିବିଆଇ ତଦନ୍ତ କରାଯାଉ ବୋଲି ଦାବି କରିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସିବିଆଇ ସୁପାରିଶ କରିବାକୁ ନିର୍ଦ୍ଦେଶ ଜାରି କରିଥିଲେ।

Share