କଂଗ୍ରେସର ବଡ଼ ଦାବି, ଏଠି ବଦଳିଯିବ ସରକାର !

ନୂଆଦିଲ୍ଲୀ, ୧୧।୬: ଲୋକସଭା ନିର୍ବାଚନ ଫଳାଫଳ ପରେ ମହାରାଷ୍ଟ୍ର ରାଜନୀତିକୁ ନେଇ ଚର୍ଚ୍ଚା ଜୋର ଧରିଛି । କୁହାଯାଉଛି କି, ନିର୍ବାଚନରେ ଦଳର ଖରାପ ପ୍ରଦର୍ଶନ ପରେ ଏକନାଥ ଶିନ୍ଦେ ଗୋଷ୍ଠୀର ଶିବସେନା ଏବଂ ଅଜିତ୍‌ ପାୱାରଙ୍କ ଏନ୍‌ସିପିର ବିଧାୟକ ଦଳ ଛାଡ଼ିପାରନ୍ତି । ଏହାରି ମଧ୍ୟରେ କଂଗ୍ରେସ ଦଳ ନେତା ବିଜୟ ୱାଡେଟିୱାର୍  ଦାବି କରିଛନ୍ତି ଯେ ଶିନ୍ଦେ ଗୋଷ୍ଠୀ ଏବଂ ଅଜିତ୍‌ ପାୱାରଙ୍କ ଗୋଷ୍ଠୀର ୪୦ ଜଣ ବିଧାୟକ କଂଗ୍ରେସ ସହ ସମ୍ପର୍କରେ ରହିଛନ୍ତି । ଏହି ବିଧାୟକମାନେ ନିଜର ପୁରୁଣା ଦଳକୁ ଫେରିବାକୁ ଚାହୁଁଛନ୍ତି। ଲୋକସଭା ନିର୍ବାଚନ ଫଳ କହୁଛି ଯେ ଲୋକେ କେଉଁ ଦଳ ସମର୍ଥନରେ ଅଛନ୍ତି । ତେଣୁ ଲୋକଙ୍କ ସମର୍ଥନ ଦେଖି ବିଧାୟକମାନେ ମଧ୍ୟ ଦଳ ବଦଳାଇବାକୁ ଚାହୁଁଥିବା ସେ କହିଛନ୍ତି ।

ବିଧାନସଭାରେ ଏହି ନିର୍ବାଚନର ପ୍ରଭାବ ନିଶ୍ଚୟ ଦେଖିବାକୁ ମିଳିବ ବୋଲି କଂଗ୍ରେସର ଏହି ନେତା କହିଛନ୍ତି ଯେ, । ରାଜ୍ୟରେ ଶରଦ ପାୱାରଙ୍କ ଏନ୍‌ସିପି, ଉଦ୍ଧବଙ୍କ ଶିବସେନା ଏବଂ କଂଗ୍ରେସର ସରକାର ଗଠନ ହେବା ନେଇ ଆମର ଭରଷା ଅଛି। ବିଧାନସଭା ନିର୍ବାଚନରେ ରାଜ୍ୟରେ ପାଖାପାଖି ୧୫୦ ଆସନରେ ଆମେ ବିଜୟୀ ହେବୁ ବୋଲି ଲୋକସଭା ନିର୍ବାଚନର ଟ୍ରେଣ୍ଡ୍‌ କହୁଛି । ଅନ୍ୟଦଳମାନଙ୍କୁ ୧୩୦ ଆସନ ମିଳିବ ।

Share