ଲୋଇସିଂହା,୧୪।୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ବେନ୍ଦ୍ରା ପଞ୍ଚାୟତ ବେନ୍ଦ୍ରା ସଦର ଗ୍ରାମର ମହରଗି ଭୂଏ(୬୦)। ଦୀର୍ଘବର୍ଷ ହେଲା ତାଙ୍କ ସ୍ବାମୀ ଆରପାରିକୁ ଚାଲି ଯାଇଥିବା ବେଳେ ଅର୍ଥ ଅଭାବରୁ ଠିକ ସମୟରେ ଚିକିତ୍ସା କରି ନ ପାରି ଦୁଇପୁଅଙ୍କୁ ହରାଇଛନ୍ତି। ପେଟକୁ ଦାନା ଯୋଗାଉଥିବା ସାନ ପୁଅ ଏବେ ରୋଗରେ ଆକ୍ରାନ୍ତ ହୋଇ ଜୀବନ ସହ ସଂଘର୍ଷ ଚଳାଇଛନ୍ତି ା ଏହି ସଂକ୍ରାନ୍ତରେ ଖବର ଗୁରୁବାର ଧରିତ୍ରୀରେ ପ୍ରକାଶ ପାଇଥିଲା। ବିଡିଓ ମହାପାତ୍ର କୁଲଦୀପ ମହାନ୍ତିଙ୍କ ନିର୍ଦ୍ଦେଶରେ ପଞ୍ଚାୟତର ଯୋଗାଣ ସହାୟକ ସୁଦାମ ସାହୁ ମହରଗିଙ୍କ ଘରକୁ ଯାଇ ୧୫ କେ.ଜି. ପିଡିଏସ ପ୍ରଦାନ କରି ଆସିଛନ୍ତି। ଏଣିକି ଉକ୍ତ ପରିବାର ନିୟମିତ ପିିଡିଏସ ସାମଗ୍ରୀ ପାଇବେ ବୋଲି ସେ କହିଛନ୍ତି। ଆଧାର କାର୍ଡ ନଥିବାରୁ ମହରଗିଙ୍କ ଭତ୍ତା ମିଳିବାରେ ବିଳମ୍ବବ ହେବ ବୋଲି ଜଣାପଡିଛି ା ଏହି ପରବାରକୁ ଅନ୍ତ୍ୟୋଦୟ ଯୋଜନାରେ ୩୫ କେ.ଜି. ପିଡିଏସ ଏବଂ ମା’ପୁଅର ଚିକିତ୍ସା ବ୍ୟବସ୍ଥା ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ସ୍ବାମୀ, ବିବାହିତ ବଡପୁଅ ଏବଂ ମଝିଆପୁଅଙ୍କ ପୂର୍ବରୁ ମୃତ୍ୟୁ ଘଟିଛି। ୨ପୁଅ ଓ ସ୍ବାମୀକୁ ହରାଇ ମହରଗିଙ୍କ ମାନସିକ ସ୍ଥିତି ବଗିଡି ଯାଇଥିଲା। ଏହାପରେ ମହରଗିଙ୍କୁ ମିଳୁଥିବା ୨ ଶହ ଟଙ୍କା ଭତ୍ତା ଓ ଅନ୍ନପୂର୍ଣ୍ଣା ଯୋଜନାରୁ ମିଳୁଥିବା ୧୦ କେଜି ପିଡିଏସ ବନ୍ଦ ହୋଇଯାଇଛି। ଏବେ ସାନପୁଅ ଇଶ୍ୱରଙ୍କ ଶରୀର ଅସ୍ବାଭାବିକ ଭାବେ ଫୁଲିବା ସହିତ ଗୋଟିଏ ଗୋଡ ଜଳାପୋଡା କରୁଛି। ଆର୍ଥିକ ଅଭାବରୁ ଚିକିତ୍ସିତ ହୋଇ ନ ପାରି ସେ ଘରେ ପଡି ରହିଛନ୍ତି। ପଞ୍ଚାୟତ ଓ ବ୍ଲକକୁ ସହାୟତା ପାଇଁ ନିବେଦନ କରିଥିଲେ ବି କୌଣସି ସୁଫଳ ମିଳି ନ ଥିଲା ା ଚିକିତ୍ସା ଏବଂ ଭତ୍ତା ଓ ରାଶନ କାର୍ଡ କାର୍ଯ୍ୟକାରୀ କରିବାକୁ ମା’ ପୁଅ ବ୍ଲକ କାର୍ଯ୍ୟାଳୟକୁ ଯାଇଥିବାବେଳେ କେହି ଜଣେ କର୍ମଚାରୀ ଟଙ୍କା ଦାବି କରିବା ଘଟଣା ବିସ୍ମିତ କରିଛି। ଏ ସମ୍ପର୍କରେ ବିଡିଓ ମହାପାତ୍ର କୁଲଦୀପ ମହାନ୍ତି କହିଛନ୍ତି, ଖବର ପାଇଁ ଉକ୍ତ ପରିବାରକୁ ପିଡିଏସ ପ୍ରଦାନ କରାଯାଇଛି। ଅଧାର ସମସ୍ୟା ସମାଧାନ କରି ଖୁବଶୀଘ୍ର ଭତ୍ତା ଏବଂ ଘର ଯୋଗଇବାର ବ୍ୟବସ୍ଥା କରାଯିବ। ଇଶ୍ୱରଙ୍କ ଚିକିତ୍ସା ସମ୍ପର୍କରେ ଜିଲାପାଳ ଯାହା ପଦକ୍ଷେପ ନେବେ ବୋଲି ସେ କେହିଛନ୍ତି। ସ୍ଥାନୀୟ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ଅଙ୍କିତ ପଣ୍ଡା କହିଛନ୍ତି, ଯିଏ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁଛି ତାଙ୍କୁ ଚିକିତ୍ସା ଯୋଗାଉଛ। ଖବର ପ୍ରକାଶ ପରେ ଆଦିବାସୀ ନେତା ସତ୍ୟନାରାୟଣ ଭୋଇ ଜିଲାପ୍ରକଳ୍ପ ନିର୍ବାହୀ ଅଧିକାରୀଙ୍କୁ ଆବଶ୍ୟକ ଦକ୍ଷେପ ନେବାକୁ କହିଥିବା ଜଣାଇଛନ୍ତି।