ପୂଜା ମଣ୍ଡପରେ ମହାଷ୍ଟମୀ ପୂଜା: ପ୍ରବଳ ଜନସମାଗମ

ଜି.ଉଦୟଗିରି, ୧୧।୧୦(ଶିଶିର ପଟ୍ଟନାୟକ): ଜି. ଉଦୟଗିରିର ବହୁ ପୂରାତନ ପୂଜା ମଣ୍ଡପ ତରଫରୁ ଶାରଦୀୟ ଦୁର୍ଗାପୂଜା ଆରମ୍ଭ ହୋଇଛି। ବୁଧୁବାର ମା’ ବରାଳ ଦେବୀଙ୍କ ଘଟକୁ ନେଇ ପୂଜା ମଣ୍ଡପରେ ସ୍ଥାପନ କରାଯିବା ପରେ ଗୁରୁବାର ସପ୍ତମୀ ପୂଜା ଓ ଶୁକ୍ରବାର ଅଷ୍ଟମୀ ପୂଜା ଆରମ୍ଭ ହୋଇଛି। ଜି.ଉଦୟଗିରି ଦୁର୍ଗାପୂଜା ପୂରାତନ ପୂଜା ମଣ୍ଡପ ଭାବେ ପରିଚିତ।

କିଛି ବୟସ୍କ ଲୋକଙ୍କ କହିବା ଅନୁଯାୟୀ, ଏହି ପୂଜା ମଣ୍ଡପ ୭୦ବର୍ଷରୁ ଅଧିକ ପୁରାତନ। ଏହି ପୂଜା ମଣ୍ଡପରେ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ବରାଳ ଦେବୀଙ୍କ ଘଟ ପୂଜା ପାଉଥିବା ଯୋଗୁ ଏହାର ପୂଜା ରୀତିନୀତି ଓ ତନ୍ତ୍ର ପାଠ ସମ୍ପୂର୍ଣ୍ଣ ଭିନ୍ନ। ମା’ଙ୍କ ଘଟ ବିସର୍ଜନ ନ ହେବା ପର୍ଯ୍ୟନ୍ତ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ହୁଏନାହିଁ । ଦଶହରା ଦିନ ରାତ୍ର ଘଟ ବିସର୍ଜନ ପରେ ମୂର୍ତ୍ତି ବିସର୍ଜନ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ହୁଏ। ପୂଜା କମିଟି ତରଫରୁ ଚଳିତ ବର୍ଷ ଶୃଖଳାର ସହିତ ପୂଜା କରିବା ପାଇଁ ନିଷ୍ପତ୍ତି ନିଆଯାଇ କାର୍ଯ୍ୟସୂଚୀ କରାଯାଇଛି। ଗୁରୁବାର ମହାସପ୍ତମୀ ପୂଜା ସହିତ ୧୦୮ ଆଳତୀ କରାଯାଇଥିଲା।

ଶୁକ୍ରବାର ମହାଅଷ୍ଟମୀ ପୂଜା ସହିତ ୧୦୮ ଆଳତୀ ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି। ୧୨ରେ ମହା ନବମୀ ୧୦୮ ଆଳତୀ, ୧୩ରେ ମହାଦଶମୀ ପୂଜା ସହିତ ରାତିରେ ଘଟ ବିସର୍ଜନ କାର୍ଯ୍ୟକ୍ରମ ରହିଥିବା ବେଳେ, ୧୪ରେ ସାଂସ୍କୃତିକ କାର୍ଯ୍ୟକ୍ରମ, ୧୫ରେ ମା’ଙ୍କୁ ମହାପଟୁଆରରେ ବିସର୍ଜନ କରାଯିବ ବୋଲି ପୂଜା କମିଟି ସଭାପତି କାଳୁ ଚରଣ ପଣ୍ଡା କହିଛନ୍ତି। ପୂଜା କମିଟି ସମ୍ପାଦକ ମନ ସନ୍ତୋଷ ପାତ୍ର, ବ୍ୟବସାୟୀ ସଂଘ ସଭାପତି ସମୀର କୁମାର ପାଢୀ ଏବଂ ସମ୍ପାଦକ ଅରୁଣ କୁମାର ଷଡଙ୍ଗୀଙ୍କ ସମେତ ପୂଜା କମିଟି ଓ ବ୍ୟବସାୟୀ ସଂଘ ସଦସ୍ୟମାନେ ପୂଜା ଦାୟିତ୍ୱରେ ଅଛନ୍ତି ।

Share