ଜୋହନିସ୍ବର୍ଗ,୨୩।୧୧: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଅଣନାତି ତଥା ଦକ୍ଷିଣ ଆଫ୍ରିକାର ମୂଳବାସୀନ୍ଦା ସତୀଶ ଧୁପେଲିଆଙ୍କ କରୋନାରେ ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ହୋଇଥିଲା। ଜନ୍ମଦିନର ଠିକ୍ ୩ ଦିନ ପରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି। ଏନେଇ ତାଙ୍କ ଭଉଣୀ ଉମା ଧୁପେଲିଆ ସୂଚନା ଦେଇଛନ୍ତି। ତାଙ୍କ ବିୟୋଗରେ ଅନେକ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଗତ ୧ ମାସରୁ ସେ ନିମୋନିଆରେ ପୀଡ଼ିତ ଥିବା ବେଳେ ହସ୍ପିଟାଲରେ ସେ କରୋନା ଭାଇରସ୍ ସଂକ୍ରମଣ ସଂସ୍ପର୍ଶରେ ଆସିଥିଲେ। ଏକ ମାସ ଧରି ତାଙ୍କର ଚିକିତ୍ସା ଚାଲିଥିଲା। ରବିବାର ସନ୍ଧ୍ୟାରେ ହୃଦଘାତ ହେବାରୁ ତାଙ୍କର ମୃତ୍ୟୁ ହୋଇଛି ବୋଲି ସୋସିଆଲ ମିଡିଆରେ ଏକ ପୋଷ୍ଟ ଜରିଆରେ ଉମା କହିଛନ୍ତି। ଉମାଙ୍କ ବ୍ୟତୀତ ସତୀଶଙ୍କ ସହ ଜୋହନିସ୍ବର୍ଗରେ ତାଙ୍କର ଆଉ ଜଣେ ଭଉଣୀ କିର୍ତ୍ତି ମେନନ ମଧ୍ୟ ରହୁଛନ୍ତି। କିର୍ତ୍ତି ସେଠାରେ ଗାନ୍ଧିଙ୍କ ସ୍ମୃତିରେ ଏକାଧିକ ପ୍ରୋଜେକ୍ଟ ଉପରେ କାମ କରୁଛନ୍ତି। ଏହି ୩ ଭାଇ ଭଉଣୀ ମଣିଲାଲ ଗାନ୍ଧୀଙ୍କ ଉତ୍ତରାଧିକାରୀ। ମହାତ୍ମା ଗାନ୍ଧୀ ଦକ୍ଷିଣ ଆଫ୍ରିକାରେ ଦୀର୍ଘ ଦୁଇ ଦଶନ୍ଧି ଧରି ରହିଥିଲେ। ସେଠାରେ ତାଙ୍କ କାର୍ଯ୍ୟକୁ ପୁରା କରିବା ପାଇଁ ମହାତ୍ମା ଗାନ୍ଧୀ ଏମାନଙ୍କୁ ଛାଡ଼ି ଭାରତ ଫେରିଆସିଥିଲେ ବୋଲି କୁହାଯାଏ। ସତୀଶ ଜଣେ ଭିଡିଓଗ୍ରାଫର ହେବା ସହ ଫଟୋଗ୍ରାଫର ମଧ୍ୟ ଥିଲେ। ସେ ଅଧିକାଂଶ ସମୟ ସାମାଜିକ କଲ୍ୟାଣ ଓ ଅସହାୟଙ୍କୁ ସହୟତା କରିବାରେ ସମୟ ବିତାଉଥିଲେ।