Categories: ଜାତୀୟ

ମହାତ୍ମାଙ୍କ ୭୩ତମ ପୁଣ୍ୟତିଥି: ଦେଶ ଦେଲା ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ, ୩୦।୧: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୭୩ତମ ପୁଣ୍ୟତିଥିରେ ଦେଶର ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ମହାତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି ଯେ, ମହାତ୍ମାଙ୍କ ଶାନ୍ତି, ଅହିଂସା, ମାନବୀୟ ଗୁଣ ସବୁବେଳେ ଦେଶବାସୀଙ୍କୁ ପ୍ରେରଣା ଦେଉଥିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାତ୍ମାଙ୍କ ପୁଣ୍ୟତିଥି ଅବସରରେ କହିଛନ୍ତି ଯେ, ଯୁଗଯୁଗ ପାଇଁ ଲୋକେ ଗାନ୍ଧୀଜୀଙ୍କ ଚିନ୍ତାଧାରାକୁ ଗ୍ରହଣ କରି ଶାନ୍ତିର ପଥ ପ୍ରତି ଆକର୍ଷିତ ହେଉଥିବେ। କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ କହିଛନ୍ତି ଯେ, ସତ୍ୟକୁ ସାଧାରଣ ଜନତାଙ୍କ ସମର୍ଥନ ନ ମିଳିଲେ ବି ଏହା କେବେ ବି ମଳିନ ପଡ଼େନାହିଁ। ମହାତ୍ମାଙ୍କ ଜୀବନୀରୁ ଏହା ସଭିଏଁ ଶିକ୍ଷାଲାଭ କରିବାର ଆବଶ୍ୟକ। ସୂଚନାଯୋଗ୍ୟ, ୧୯୪୮ ଜାନୁୟାରୀ ୩୦ରେ ପ୍ରାର୍ଥନା ସଭାରେ ଯୋଗଦେବାକୁ ଯାଉଥିବା ସମୟରେ ମହାତ୍ମାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।

Share