ପିଲାବେଳେ ମୋତେ ଅବୈଧ ଛୁଆ କହି ପରିହାସ କରୁଥିଲେ ଲୋକେ: ମହେଶ ଭଟ୍ଟ

ବମ୍ବେ: ଫିଲ୍ମ ସହ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଖବର ଶିରୋନାମାରେ ରହିଥାନ୍ତି ନିର୍ଦ୍ଦେଶକ ମହେଶ ଭଟ୍ଟ। ଏବେ ସେ ଏକ ଶୋ’ରେ ତାଙ୍କୁ ଅବୈଧ ସନ୍ତାନ କୁହାଯାଉଥିବା କଥା କହି ଚର୍ଚ୍ଚାକୁ ଆସିଛନ୍ତି। ଏଥିଲାଗି ତାଙ୍କ ମା’ ମୁସଲମାନ ହୋଇ ବି ନିଜର ପରିଚୟ ଲୁଚାଇ ହିନ୍ଦୁ ଭଳି ଜୀବନଯାପନ କରୁଥିଲେ ବୋଲି ସେ କହିଛନ୍ତି।

ଅରବାଜ ଖାଁଙ୍କ ଶୋ’ ‘ଦ ଇନ୍‌ଭିନ୍‌ସିବୁଲ୍‌ସ’ର ସଦ୍ୟ ଏପିସୋଡରେ ମହେଶ ନଜର ଆସିଥିଲେ। ଏଥିରେ ସେ ନିଜର ପିଲାଦିନକୁ ନେଇ ଅନେକ କିଛି କହିଥିଲେ। ୧୯୪୮ରେ ମହେଶ ଜନ୍ମଗ୍ରହଣ କରିଥିଲେ। ହିନ୍ଦୁ ବାପା ଏବଂ ମୁସଲମାନ ମା’ଙ୍କ ସନ୍ତାନ ଥିଲେ ସେ। ତାଙ୍କ ଜନ୍ମ ସମୟରେ ମା’ବାପା ବିବାହିତ ନ ଥିଲେ। ଏମିତିରେ ତାଙ୍କୁ ଅବୈଧ ବୋଲି କୁହାଯାଉଥିଲା।

ତାଙ୍କ ମା’ ଜଣେ ସିଆ ମୁସଲମାନ ଥିଲେ। ହେଲେ ସେ ଶିବାଜୀ ପାର୍କରେ ରହୁଥିଲେ। ସେଠାରେ ଅଧିକ ଲୋକ ହିନ୍ଦୁ ଥିବା ଯୋଗୁ ତାଙ୍କ ମା’ ପରିଚୟ ଲୁଚାଇ ରହୁଥିଲେ। ଶାଢ଼ି ପିନ୍ଧିବା ସହ ସେ ଟିକିଲି ଲଗାଉଥିଲେ। ତାଙ୍କ ଘରକୁ ଅବୈଧ ଘର ବୋଲି କୁହାଯାଉଥିଲା। ତାଙ୍କୁ ଅନେକ ବାପାଙ୍କ ବିଷୟରେ ପଚାରୁଥିଲେ ବୋଲି ସେ କହିଛନ୍ତି।

Share