ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ ପ୍ରଯୋଜକ ମହେଶଙ୍କ ବୟାନ ରେକର୍ଡ

ମୁମ୍ବାଇ,୨୭।୭: ବଲିଉଡ୍‌ ଭର୍ସାଟାଇଲ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାର ପଛର ରହସ୍ୟକୁ ଖୋଜିବାରେ ଲାଗିପଡ଼ିଛି ମୁମ୍ବାଇ ପୋଲିସ। ଏହି କ୍ରମରେ ସୁଶାନ୍ତଙ୍କ ପରିବାର, ସମ୍ପର୍କୀୟ, ବନ୍ଧୁ ଓ ବଲିଉଡ୍‌ର କେତେକ ସେଲିବ୍ରିଟିଙ୍କୁ ପଚରାଉଚାରା କରିସାରିଛି। ଇତିମଧ୍ୟରେ ନିର୍ଦ୍ଦେଶକ ତଥା ପ୍ରଯୋଜକ ମହେଶ ଭଟ୍ଟ ମଧ୍ୟ ସୋମବାର ସାନ୍ତାକ୍ରୁଜ୍‌ ପୋଲିସ ଷ୍ଟେଶନରେ ହାଜର ହୋଇଥିଲେ। ସେଠାରେ ପୋଲିସ ତାଙ୍କୁ ୨ଘଣ୍ଟା ଧରି ପଚରାଉଚରା କରିବା ସହ ତାଙ୍କର ବୟାନ ରେକର୍ଡ କରିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ ପୂର୍ବରୁ ପୋଲିସ ଜୁଲାଇ ୨୭ରେ ହାଜର ହେବାକୁ ମହେଶ ଭଟ୍ଟଙ୍କୁ ଏକ ସମନ ଜାରି କରିଥିଲା। ଏହି କ୍ରମରେ ମହେଶ ମଧ୍ୟ ସୋମବାର ସାନ୍ତାକ୍ରୁଜ୍‌ ଷ୍ଟେସନରେ ହାଜର ହୋଇଥିଲେ। ପୂର୍ବରୁ ତାଙ୍କର ବାନ୍ଦ୍ରା ପୋଲିସ ଷ୍ଟେସନରେ ବୟାନ ରେକର୍ଡ ହେବାର ଥିଲା। କିନ୍ତୁ ଥାନା ବାହାରେ ଖବରଦାତାଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସାନ୍ତାକ୍ରୁଜ୍‌ ଷ୍ଟେସନରେ ହିଁ ତାଙ୍କର ବୟାନ ରେକର୍ଡ କରାଯାଇଥିଲା। ଏହି ସମୟରେ ପୋଲିସ ମହେଶଙ୍କୁ ସୁଶାନ୍ତ ଓ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତିଙ୍କ ସମ୍ପର୍କରେ ପଚରାଉଚରା କରିଥିଲା। ଏତଦ୍‌ ବ୍ୟତୀତ ତାଙ୍କ ଫିଲ୍ମରୁ ସୁଶାନ୍ତଙ୍କୁ ବାଦ୍‌ ଦେବା ଉପରେ ମଧ୍ୟ ପ୍ରଶ୍ନ କରାଯାଇଥିବା ସୂଚନା ମିଳିଛି। ସୂଚନା ମୁତାବକ ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣାରେ ଏଯାଏଁ ୩୭ ଜଣଙ୍କୁ ଜେରା କରାଯାଇସାରିଛି।

Share