ମାହେଶ୍ୱରୀ ଏକଦିବସୀୟ ଫୁଟବଲ : ସିଙ୍ଘପାଲି ଚାମ୍ପିୟନ

ଅମରପାଲି, ୨୩।୨ (ଡି.ଏନ.ଏ)
ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପକଣ୍ଠ ବାଗବର ମାହେଶ୍ୱରୀ ଭେଟେରାନ କ୍ଲବ ଆନୁକୂଲ୍ୟରେ ହାଇସ୍କୁଲ ପଡିଆରେ ଅନୁଷ୍ଠିତ ଏକଦିବସୀୟ ଫୁଟବଲ ଟୁର୍ନାମେଣ୍ଟ ସୋମବାର ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚରେ ଭେଟେରାନ ବୁର୍ଲାକୁ ହରାଇ ସିଙ୍ଘପାଲି (ସମ୍ବଲପୁର) ଚାମ୍ପିୟନ ହୋଇଛି। ଉଦଘାଟନୀ ମ୍ୟାଚରେ ଏମଏମଭିସି ବାଗବରକୁ ୨-୦ରେ ବୁର୍ଲା ଦଳ ହରେଇଥିଲା । ଉକ୍ତ ମ୍ୟାଚରେ ବୁର୍ଲାର ଗୋପୀ ସେଠୀଙ୍କୁ ହିରୋ ଅଫ୍‌ ଦି ମ୍ୟାଚଭାବେ ପୁରସ୍କୃତ କରାଯାଇଥିଲା। ଦ୍ୱିତୀୟ ମ୍ୟାଚରେ ସିଙ୍ଘପାଲି (ସମ୍ବଲପୁର) ଦଳ ବାଗବର- ବି କୁ ୧-୦ରେ ପରାସ୍ତ କରିଥିଲା। ଏହି ମ୍ୟାଚ ପାଇଁ ପ୍ରାଣବନ୍ଧୁ ଓରାମଙ୍କୁ ହିରୋ ଅଫ୍‌ ଦି ମ୍ୟାଚ ଘୋଷଣା କରାଯାଇଥିଲା । ଫାଇନାଲ ମ୍ୟାଚ ବୁର୍ଲା ଓ ସିଙ୍ଘପାଲି ମଧ୍ୟରେ ହୋଇଥିଲା। ପେନାଲଟି ସୁଟରେ ସିଙ୍ଘପାଲି ୨-୧ରେ ବୁର୍ଲାକୁ ହରାଇ ଚାମ୍ପିୟନ ହୋଇଥିଲା। ଆୟୋଜକ ସଭାପତି ଆଲୋକ ଦେହୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିିତ ପୁରସ୍କାର ବିତରଣ ଉତ୍ସବରେ ଫୁଲବାଣୀର ବରିଷ୍ଠ ଆଇନଜୀବୀ ସୌମେନ୍ଦ୍ର କୁମାର ସାହୁ ମୁଖ୍ୟଅତିଥି ଏବଂ ଆଇନଜୀବୀ ଧୀରେନ୍ଦ୍ର ପଟ୍ଟନାୟକ ସମ୍ମାନୀତ ଅତିଥିଭାବେ ଯୋଗଦେଇ ମନୋଜ ଓରାମଙ୍କୁ ହିରୋ ଅଫ୍‌ ଦି ଫାଇନାଲ, ପ୍ରାଣବନ୍ଧୁ ଓରାମଙ୍କୁ ଶ୍ରେଷ୍ଠ ଗୋଲ କିପର, ପ୍ରଫୁଲ୍ଲ ଭୋଇଙ୍କୁ ଶ୍ରେଷ୍ଠ ଡିଫେନ୍ସ, ଗୋପୀ ସେଠୀଙ୍କୁ ଶ୍ରେଷ୍ଠ ସ୍କୋରରଭାବେ ପୁରସ୍କୃତ କରାଯାଇଥିଲା। ଚାମ୍ପିୟନ ଦଳକୁ ନଗଦ ୫୫୫୫ ଓ ରନର୍ସ ଅପ ଦଳକୁ ୪୪୪୪ ଟଙ୍କା ସହିତ ଟ୍ରଫି ପ୍ରଦାନ କରାଯାଇଥିଲା । ପ୍ରାରମ୍ଭରେ ପୂର୍ବତନ ସରପଞ୍ଚ ଶ୍ୟାମସୁନ୍ଦର ପଣ୍ଡା, କ୍ରୀଡାବିତ ବାବାଜୀ ଦାଶ, ବିଶିକେଶନ ବିଶ୍ୱାଳ ଅତିଥିଭାବେ ଯୋଗଦେଇ ଟୁର୍ନାମେଣ୍ଟକୁ ଉଦ୍‌ଘାଟନ କରିଥିଲେ।

Share