Categories: ଜାତୀୟ

୨୯ରୁ କଂଗ୍ରେସର ଦେଶବ୍ୟାପୀ ଆନ୍ଦୋଳନ

ନୂଆଦିଲ୍ଲୀ,୨୫ା୭: ମହିଳାମାନଙ୍କ ରାଜନୈତିକ ଓ ଅର୍ଥନୈତିକ ସଶକ୍ତୀକରଣ ସମେତ ସାମାଜିକ ନ୍ୟାୟ ଓ ସୁରକ୍ଷା ଅଧିକାର ପାଇଁ ଅଖିଳ ଭାରତ ମହିଳା କଂଗ୍ରେସ ଆସନ୍ତା ୨୯ ତାରିଖରୁ ଦେଶବ୍ୟାପୀ ଆନ୍ଦୋଳନ କରିବ। କଂଗ୍ରେସ ମହିଳା ଶାଖା ସଭାନେତ୍ରୀ ଅଲକା ଲାମ୍ବା ଗୁରୁବାର ଏଆଇସିସି ମୁଖ୍ୟାଳୟଠାରେ ଏକ ଖବରଦାତା ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି। ଦିଲ୍ଲୀର ଯନ୍ତରମନ୍ତରରୁ ଆନ୍ଦୋଳନ ଆରମ୍ଭ ହୋଇ ପ୍ରତ୍ୟେକ ରାଜ୍ୟର ରାଜଧାନୀ, ବଡ଼ ସହର ଓ ଜିଲାରେ ଅନୁଷ୍ଠିତ ହେବ। ମହିଳାମାନଙ୍କ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଲାମ୍ବା କହିଛନ୍ତି।

ଆନ୍ଦୋଳନରେ ୩ଟି ବଡ଼ ଓ ଗୁରୁତ୍ୱପୂର୍ଣ୍ଣ ଦାବି ରହିବ। ମହିଳାମାନଙ୍କ ରାଜନୈତିକ ସଶକ୍ତୀକରଣ ଏବଂ ଭାଗୀଦାରିତା ପାଇଁ ମହିଳା ସ୍ଥାନ ସଂରକ୍ଷଣ ଆଇନ ତୁରନ୍ତ ଲାଗୁ, ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ମହିଳାମାନଙ୍କ ପାଇଁ ସଂରକ୍ଷଣ ଓ ଭାଗୀଦାରିତାକୁ ସୁନିଶ୍ଚିତ କରିବା ଏବଂ ଦରଦାମ୍‌ ବୃଦ୍ଧି ଏବଂ ବେରୋଜଗାରି ଯୋଗୁ ଅତିଷ୍ଠ ହୋଇପଡ଼ିଥିବା ମହିଳାମାନଙ୍କୁ ଅର୍ଥନୈତିକ କ୍ଷେତ୍ରରେ ସଶକ୍ତ କରାଯିବା ଦାବି ରହିଛି।

Share