ଅମଲାପଡ଼ା ଟୁଙ୍ଗିରେ ମହିମା ମେଳା: ଖଞ୍ଜଣି ଭଜନରେ କମ୍ପିଲା ପରିବେଶ

ଢେଙ୍କାନାଳ ଅଫିସ, ୨୬।୫: ଢେଙ୍କାନାଳ ସହର ବସଷ୍ଟାଣ୍ଡ୍‌ ଅମଲାପଡ଼ାସ୍ଥିତ ୧୧୦ ବର୍ଷ ପ୍ରାଚୀନ ମହିମା ଟୁଙ୍ଗିରେ ସୋମବାର ମହାସମାରୋହରେ ମହିମା ମେଳା ପାଳିତ ହୋଇଯାଇଛି। ଅନୁଗାମୀ ପ୍ରସନ୍ନା ମହାପାତ୍ରଙ୍କ ବିୟୋଗର ମାସପୂର୍ତ୍ତି ଅବସରରେ ଏହାର ଆୟୋଜନ କରାଯାଇଥିଲା। ଖଞ୍ଜଣି ଭଜନରେ ଟୁଙ୍ଗି ପରିସର ପ୍ରକମ୍ପିତ ହୋଇ ଉଠିଥିବାବେଳେ ବହୁ ସାଧୁସନ୍ନ୍ୟାସୀ, ଅନୁଗାମୀ ଯୋଗଦେଇଥିଲେ।
ବଡ଼ କୃପାସିନ୍ଧୁ ବାବାଙ୍କ ଦ୍ୱାରା ଏହି ଟୁଙ୍ଗି ପ୍ରତିଷ୍ଠା ହୋଇଥିଲା। ୬୪ ମହିମା ସିଦ୍ଧସନ୍ନ୍ୟାସୀଙ୍କ ମଧ୍ୟରୁ ସିଦ୍ଧ ରଘୁବର ବାବାଙ୍କ ଭେକ ଓ ବେତବାଡ଼ି ସୁରକ୍ଷିତ ଭାବେ ରହିଛି। କୌପିନୀଧାରୀ ମହିମା ସମାଜ ଧର୍ମାଧ୍ୟକ୍ଷ ଶ୍ରୀମଦ୍‌ ରଘୁନାଥ ବାବାଙ୍କ ନେତୃତ୍ୱରେ ଅଭୟ ବାବା, ଜ୍ଞାନୀ ବାବା, କରୁଣାକର ବାବା, ସଦାନନ୍ଦ ବାବା, ତ୍ୟାଗୀ କନ୍ଦର୍ପ ଦାସ, ପରମାନନ୍ଦ ଦାସ ପ୍ରମୁଖ ଟୁଙ୍ଗି ସମ୍ମୁଖରେ ବ୍ରହ୍ମଧୁନି ସଂସ୍ଥାପନ କରି ବିଶ୍ୱକଲ୍ୟାଣ କାମନା କରିଥିଲେ। ମେଳା ଉପଲକ୍ଷେ ସ୍ବତନ୍ତ୍ର ଭାବେ ଅଖଣ୍ଡବତି ପ୍ରଜ୍ୱଳନ କରାଯାଇଥିଲା। ଜହ୍ନିତଇଳା, ବାରଦା, ଡାହିମାଳ, ଓଡ଼ାପଡ଼ା ବ୍ଲକ୍‌ ଗୋପାଳପୁରର ଖଞ୍ଜଣି ଭଜନମଣ୍ଡଳୀ ଯୋଗଦେଇଥିଲେ। ନଠୁଆରୁ ଆସିଥିବା ମହିଳା ମହିମା ଖଞ୍ଜଣି ଭଜନ ଦଳର ଜୟନ୍ତୀ ବାରିକ୍‌, ସୁଷମା ଦେହୁରୀ ମନଛୁଅଁା ଭଜନ ଗାନ କରିଥିଲେ। ମହିମା ଜ୍ୟୋତିଯାତ୍ରା ସଂଯୋଜକ ପ୍ରଦ୍ୟୁମ୍ନ ରଥ, ଭକ୍ତ ପ୍ରଶାନ୍ତ ମହାପାତ୍ର ଉପସ୍ଥିତ ଥିଲେ। ମଙ୍ଗଳବାର ପ୍ରାତଃ ସମୟରେ ଶୂନ୍ୟବ୍ରହ୍ମଙ୍କ ଉଦ୍ଦେଶ୍ୟରେ ଅହ୍ମଣିଆ ଅର୍ପଣ ପୂର୍ବକ ବ୍ରହ୍ମଧୁନି ନିର୍ବାପିତ କରାଯାଇଥିଲା।