ଦେଶ ଛାଡିପାରିବେନି ମହିନ୍ଦା ରାଜପାକ୍‌ସେ

କଲମ୍ବୋ,୧୨।୫: ଶ୍ରୀଲଙ୍କାରେ ଦିନକୁ ଦିନ ସ୍ଥିତି ଭୟଙ୍କର ହେବାରେ ଲାଗିଛି। ଆନ୍ଦୋଳନ ନିଆଁରେ ଜଳୁଛି ପୂରା ଦେଶ। ସବୁଠି ଦେଖିବାକୁ ମିଳିଛି ହିଂସା। ରାଜନେତାମାନେ ଭୟରେ ଆତ୍ମଗୋପନ କରିଛନ୍ତି। ଉତ୍ୟକ୍ତ ଲୋକେ ରାଜନେତାମାନଙ୍କୁ ଟାର୍ଗେଟ କରୁଥିବା ବେଳେ ଏଥିରୁ ପୋଲିସ ଓ ସେନା ମଧ୍ୟ ବାଦ ପଡିନାହାନ୍ତି। ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ମହିନ୍ଦା ରାଜପାକ୍‌ସେଙ୍କ ଦେଶ ଛାଡିବା ଉପରେ ରୋକ ଲଗାଇଛନ୍ତି ଶ୍ରୀଲଙ୍କାର ଏକ କୋର୍ଟ।
ଗୁରୁବାର ଶ୍ରୀଲଙ୍କାର ଏକ କୋର୍ଟ ମହିନ୍ଦା ରାଜପାକ୍‌ସେ ଏବଂ ତାଙ୍କ ଦଳର ଅନ୍ୟ ୧୨ ନେତାଙ୍କୁ ଦେଶ ଛାଡିବାକୁ ପ୍ରତିବନ୍ଧକ ଲଗାଇଛନ୍ତି। ଦେଶରେ ହିଂସାକାଣ୍ଡ ଘଟାଇବା ଅଭିଯୋଗରେ ରାଜପାକ୍‌ସେଙ୍କ ବିରୋଧରେ ଆଗତ ଏକ ମାମଲାର ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।
ଏହାପୂର୍ବରୁ ଗୁରୁବାର ଶ୍ରୀଲଙ୍କା ରାଷ୍ଟ୍ରପତି ଗୋତବାୟା ରାଜପାକ୍‌ସେ ଟୁଇଟ୍‌ ମାଧ୍ୟମରେ ଶ୍ରୀଲଙ୍କାରେ ଶାନ୍ତି ଆଣିବାର ଉପାୟ ଉଲ୍ଲେଖ କରିଛନ୍ତି। ଏଥିରେ ସେ ସମ୍ବିଧାନରେ ସଂଶୋଧନ କରିବା ସହିତ ବିରୋଧୀଙ୍କ ସହ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ମଧ୍ୟ ପ୍ରତିଶୃତି ଦେଇଛନ୍ତି।

Share