Categories: ଜାତୀୟ

ଝାଡ଼ଖଣ୍ଡରେ କଂଗ୍ରେସକୁ ଝଟ୍‌କା: ମହୁଆ ମାଜିଙ୍କୁ ପ୍ରାର୍ଥୀ କଲା ଜେଏମ୍‌ଏମ୍‌

ରାଞ୍ଚି,୩୦।୫: ଝାଡ଼ଖଣ୍ଡ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌) ନେତା ହେମନ୍ତ ସୋରେନ ମହୁଆ ମାଜିଙ୍କୁ ରାଜ୍ୟ ସଭା ପ୍ରାର୍ଥୀ ଭାବେ ସୋମବାର ମନୋନୀତ କରିଛନ୍ତି। ଗୁରୁ ଶିବୁ ସୋରେନଙ୍କ ସହମତିରେ ରାଜ୍ୟ ସଭା ନିର୍ବାଚନରେ ତାଙ୍କୁ ପ୍ରାର୍ଥୀ ଭାବେ ଦଳ ଚୟନ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ, କଂଗ୍ରେସ ଲଗାତର ଭାବେ ରାଜ୍ୟ ସଭା ଆସନ ପାଇଁ ଦାବି କରିଆସୁଥିଲା। ତେବେ ଏହି ସଂପର୍କରେ ମୁଖ୍ୟମନ୍ତ୍ରୀ ସୋରେନ ଶନିବାର କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଭେଟିବା ସହ ଏକ ଘଣ୍ଟାରୁ ଅଧିକ ସମୟ ଧରି ଆଲୋଚନା କରିଥିଲେ। ଏହାପରେ କଂଗ୍ରେସ ସହ ଜେଏମ୍‌ଏମ୍‌ର କନ୍ଦଳ ବିଷୟରେ ତାଙ୍କୁ ପ୍ରଶ୍ନ କରାଯାଇଥିଲା। ଏହାର ଉତ୍ତରରେ ସୋରେନ କହିଛନ୍ତି, ସେଭଳି କୌଣସି କଥା ନାହିଁ। ଯଦି ଏଭଳି କିଛି ହୋଇଥାନ୍ତା ତେବେ ଶନିବାର ସୋନିଆ ଗାନ୍ଧୀଙ୍କ ସହ ଏକ ଘଣ୍ଟାଏ ଧରି ବୈଠକ ହେବା ଅସମ୍ଭବପର ହୋଇଥାନ୍ତା। ଗୋଟିଏ ଘରେ ବାସନ ଥିଲେ ସେଠାରେ ବାଜିବାର ଶବ୍ଦ ମଧ୍ୟ ଶୁଣାଯାଏ ବୋଲି ହେମନ୍ତ ସୋରେନ କହିଛନ୍ତି। ସୂଚନା ମୁତାବକ ଝାଡ଼ଖଣ୍ଡରେ ୨ଟି ରାଜ୍ୟ ସଭା ଆସନ ପାଇଁ ମତଦାନ ଜୁନ ୧୦ରେ ଅନୁଷ୍ଠିତ ହେବ।

 

Share