Categories: ଜାତୀୟ

‘ବିଜୟଭର୍ଗୀୟ ହେଉଛନ୍ତି ‘ଅଗ୍ନିପଥ’ର ଖଳନାୟକ’

ନୂଆଦିଲ୍ଲୀ,୨୦।୬: ଭାଜପା ରାଷ୍ଟ୍ରୀୟ ସମ୍ପାଦକ କୈଳାଶ ବିଜୟଭର୍ଗୀୟ ସରକାରଙ୍କ ନୂଆ ଅଗ୍ନିପଥ ଯୋଜନାକୁ ନେଇ ଏକ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଅଗ୍ନିବୀରମାନେ ୪ ବର୍ଷ ପରେ ଅବସର ନେଲେ ସେମାନଙ୍କୁ ଭାଜପା ଦଳୀୟ କାର୍ଯ୍ୟାଳୟରେ ସିକ୍ୟୁରିଟି ଗାର୍ଡ ଚାକିରି ଦିଆଯିବ ବୋଲି ସେ କହିଛନ୍ତି। ଏନେଇ ଦେଶରେ ରାଜନୀତି ଜୋର ଧରିଛି। ବିରୋଧୀ ଦଳ ବିଜୟଭର୍ଗୀୟଙ୍କ ଏଭଳି ମନ୍ତବ୍ୟକୁ କଡ଼ା ନିନ୍ଦା କରିଛନ୍ତି।
ଟିଏମସି ଏମ୍‌ପି ମହୁଆ ମୋଇତ୍ରା ବିଜୟଭର୍ଗୀୟଙ୍କୁ ଟାର୍ଗେଟ କରିଛନ୍ତି। ମହୁଆ ଟୁଇଟ୍‌ କରି ବିଜୟଭର୍ଗୀୟଙ୍କୁ ଅଗ୍ନିପଥର ଖଳନାୟକ ବୋଲି କହିଛନ୍ତି। ଏହାପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଜୟରାମ ରମେଶ ଏବଂ ଭାଜପା ଏମ୍‌ପି ବରୁଣ ଗାନ୍ଧୀ ମଧ୍ୟ ବିଜୟଭର୍ଗୀୟଙ୍କ ବିବୃତ୍ତିକୁ ସମାଲୋଚନା କରିଛନ୍ତି।
ମୋଇଟ୍ରା ଟୁଇଟ୍‌ ଯୋଗେ କହିଛନ୍ତି,
ଭାଜପାର ସାଧାରଣ ସଚିବ- ଯଦି ମୋତେ ଭାଜପା କାର୍ଯ୍ୟାଳୟ ପାଇଁ ସିକ୍ୟୁରିଟି ଗାର୍ଡ ବାଛିବାକୁ ପଡିବ, ତେବେ ମୁଁ ଅଗ୍ନିବୀରଙ୍କୁ ବାଛିବି।
-ହଁ, ଯଦି ଭାରତକୁ ଅଗ୍ନିପଥ ପାଇଁ ଜଣେ ଖଳନାୟକ ବାଛିବାକୁ ପଡିବ, ମୁଁ ନିଶ୍ଚିତ ଯେ ସେମାନେ ମଧ୍ୟ ଆପଣଙ୍କୁ ବାଛିବେ।
ବିଜୟଭର୍ଗୀୟ କିନ୍ତୁ ତୁରନ୍ତ ତାଙ୍କ ବିବୃତ୍ତି ସ୍ପଷ୍ଟ କରିଛନ୍ତି। ଟୁଲ୍‌କିଟ ଗ୍ୟାଙ୍ଗ ତାଙ୍କ ବିବୃତ୍ତିକୁ ବିକୃତ କରିଛି ବୋଲି ସେ ଅଭିଯୋଗ କରିଛନ୍ତି।

Share