ରୋଜଗାର ଦେଉଛି ମହୁଲଫୁଲ

ଉମରକୋଟ, ୩୦।୩(ସ୍ବ.ପ୍ର.) ନବରଙ୍ଗପୁର ଜିଲା ଉମରକୋଟ ଅଞ୍ଚଳର ବଣ ପାହାଡ଼ ମହୁଲଫୁଲର ମହମହ ବାସ୍ନାରେ ମହକୁଛି। ଅଧିକାଂଶ ଆଦିବାସୀ ମହୁଲଫୁଲ ସଂଗ୍ରହକରି ପରିବାର ପୋଷଣ କରନ୍ତି। ଏବେ ସେମାନଙ୍କ ପାଇଁ ବେଶ୍‌ ଦୁଇ ପଇସା ଅର୍ଜନ କରିବାର ସମୟ ଆସିଛି। ଏହି ଅଞ୍ଚଳରେ ଜଙ୍ଗଲ ପାହାଡ଼ ଭଳି ପ୍ରାକୃତିକ ସମ୍ପଦ ଭରପୂର। ଏଣୁ ଆଦିବାସୀମାନେ ଏହାକୁ ଜୀବିକାର ଏକ ମାଧ୍ୟମ କରିଛନ୍ତି। ସକାଳୁ ନିଜ ପରିବାର ଲୋକଙ୍କ ସହ ଆଦିବାସୀମାନେ ଜଙ୍ଗଲ ଯାଇ ଗଛ ତଳେ ପଡ଼ିଥିବା ମହୁଲଫୁଲ ସଂଗ୍ରହ କରିଥାନ୍ତି। ମହୁଲଗଛରୁ ପ୍ରତିଦିନ ୮ରୁ ୧୦ କିଲୋ ମହୁଲଫୁଲ ଝଡ଼ିଥାଏ। ସେହିପରି ଜଣେ ବ୍ୟକ୍ତି ପ୍ରତିଦିନ ୪ରୁ ୫ କିଲୋ ମହୁଲଫୁଲ ସଂଗ୍ରହ କରିଥାନ୍ତି। ଏହାକୁ ସଂଗ୍ରହକରି ଶୁଖାଇ ଥାଆନ୍ତି। କେତେଜଣଙ୍କ ପାଖରେ ଜାଗାର ଅଭାବ ଥିବାରୁ ସେମାନେ ସିଧାସଳଖ ବ୍ୟବସାୟୀ, ସାହୁକାରଙ୍କୁ କମ୍‌ ମୂଲ୍ୟରେ ବିକ୍ରି କରିଦେବାକୁ ବାଧ୍ୟ ହୋଇଥାନ୍ତି। ଚାଷ କାମ ସରିଯାଇଛି। ଅଞ୍ଚଳରେ କଳ କାରଖାନା ନାହିଁ। ତେଣୁ ବର୍ତ୍ତମାନ ଲୋକଙ୍କ ପାଖରେ କିଛି କାମ ନ ଥିବା ବେଳେ ଜଙ୍ଗଲ ହିଁ ରୋଜଗାରର ଏକମାତ୍ର ମାଧ୍ୟମ। ମହୁଲଫୁଲ କିଲୋ ପିଛା ୩୦ରୁ ୪୦ ଟଙ୍କାରେ ବିକ୍ରି ହେଉଛି। ପରିଶ୍ରମ ତୁଳନାରେ ମୂଲ୍ୟ କମ୍‌ ମିଳୁଛି। ମହୁଲଫୁଲର ଦାମ୍‌ ବଢ଼ାଇବାକୁ ସେମାନେ ଦାବି କରିଛନ୍ତି। ସରକାର ଜଙ୍ଗଲଜାତ ଦ୍ରବ୍ୟର ମୂଲ୍ୟ ନିର୍ଦ୍ଧାରଣ କଲେ ଆଦିବାସୀମାନେ ଅଧିକ ଦୁଇପଇସା ପାଇପାରନ୍ତେ ବୋଲି ଫୁଲ ସଂଗ୍ରହକାରୀମାନେ କହିଛନ୍ତି।

Share