‘ମେନେ ପ୍ୟାର କିୟା’, ‘ବାଜିଗର’ ଭଳି ହିଟ ଫିଲ୍ମର ଗୀତିକାର ଦେବ କୋହଲିଙ୍କ ପରଲୋକ

ମୁମ୍ବାଇ: ଭେଟେରାନ ଲିରିସିଷ୍ଟ ଦେବ କୋହଲିଙ୍କର ଶନିବାର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା। ବାର୍ଦ୍ଧକ୍ୟ ଜନିତ ସମସ୍ୟାରେ ପୀଡିତ ହୋଇ ସେ ପ୍ରାୟ ୨-୩ ମାସ ହେବ ଅନ୍ଧେରି ସ୍ଥିତ କୋକିଳାବେନ ଧିରୁଭାଇ ଅମ୍ବାନି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।

ସମସ୍ତ ଚିକିତ୍ସା ପରେ ମଧ୍ୟ ତାଙ୍କ ଅବସ୍ଥାରେ କୌଣସି ଉନ୍ନତି ହୋଇ ନ ଥିଲା। ପ୍ରାୟ ୧୦ଦିନ ପୂର୍ବରୁ ତାଙ୍କୁ ଘରକୁ ପଠାଇ ଦିଆଯାଇଥିଲା। ଏହି ଭେଟେରାନ ଗୀତିକାର ଶନିବାର ଭୋର ୪ଟାରେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଦେବ କୋହଲିଙ୍କ ମୃତ୍ୟୁ ଖବର ଜଣାପଡିବା ପରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି।
ଦେବ କୋହଲି ୧୦୦ରୁ ଅଧିକ ଚଳଚ୍ଚିତ୍ର ପାଇଁ ଶହ ଶହ ଗୀତ ଲେଖିଥିଲେ
ସେ ‘ଲାଲ ପଥର୍‌’, ‘ମେନେ ପ୍ୟାର୍‌ କିୟା’, ‘ହମ ଆପକେ ହେ କୌନ’, ‘ବାଜିଗର’, ‘ଜୁଡୱା ୨’, ‘ମୁସାଫିର’, ‘ଇଶ୍କ’, ‘ସୁଟଆଉଟ ଆଟ ଲୋଖଣ୍ଡୱାଲା’, ‘ଟ୍ୟାକ୍ସି ନଂ ୯୧୧’ ଭଳି ୧୦୦ରୁ ଅଧିକ ଚଳଚ୍ଚିତ୍ର ପାଇଁ ଶହ ଶହ ସୁପରହିଟ ଗୀତ ଲେଖାଯାଇଛନ୍ତି। ଦେବ କୋହଲି ସଲମାନ ଖାନଙ୍କ ବ୍ଲକବଷ୍ଟର ମୁଭି ମେନ ପ୍ୟାର କିୟା ପାଇଁ କବୁତର ଜା ଜା, ଅଜା ଶ୍ୟାମ ହୋନ ଆଇ, ଆତେ ଜାତେ ହଂସରେ ଗାତେ, କହେ ତୋସେ ସଜନା ଭଳି ସୁପରହିଟ ଗୀତ ଲେଖିଥିଲେ।
ଦେବ କୋହଲି ତାଙ୍କ କ୍ୟାରିୟରରେ ରାମ ଲକ୍ଷ୍ମଣଙ୍କଠାରୁ ଅନୁ ମଲିକ, ଆନନ୍ଦ ମିଲିନ୍ଦ, ଆନନ୍ଦ ରାଜ ଆନନ୍ଦଙ୍କ ଭଳି ବହୁ ବଡ ବଡ ସଂଗୀତଜ୍ଞଙ୍କ ସହ କାମ କରିଥିଲେ।
ଦେବ କୋହଲିଙ୍କ ଶେଷ ଦର୍ଶନ ପାଇଁ ତାଙ୍କ ମୃତଦେହ ଅପରାହ୍ନ ୨ଟାରୁ ମୁମ୍ବାଇର ଲୋଖଣ୍ଡୱାଲା ଘରେ ରଖାଯିବ। ଏଥି ସହିତ ତାଙ୍କର ଶେଷ ରୀତିନୀତି ଶନିବାର ମୁମ୍ବାଇର ଓସିୱାରା ଶ୍ମଶାନରେ ଅନୁଷ୍ଠିତ ହେବ। ଏଥିସହିତ କୁହାଯାଉଛି ଯେ କବି ତଥା ଗୀତିକାର ଦେବ କୋହଲି ତାଙ୍କ ଘରେ ମୃତ୍ୟୁ ବରଣ କରିଛନ୍ତି, ବର୍ତ୍ତମାନ ସୁଦ୍ଧା ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ।

 

Share