ହ୍ୟୁମାନ ସାଗର-ରୁକୁ ସୁନାଙ୍କ ବିରୋଧରେ ବଡ଼ ଅଭିଯୋଗ: ମାମଲା ରୁଜୁ

ଭୁବନେଶ୍ୱର,୮।୭: ଓଲିଉଡ୍‌ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ପୁଣି ଅଡୁଆରେ ପଡିଛନ୍ତି। ଜଗନ୍ନାଥଙ୍କ ଭଜନକୁ କଦର୍ଥ କରି ଗାଉଥିବା ଅଭିଯୋଗରେ ହ୍ୟୁମାନ ସାଗର ଏବଂ ରୁକୁ ସୁନାଙ୍କ ବିରୋଧରେ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଛି। ମାନବାଧିକାର କର୍ମୀ ଶିବ ସୁନ୍ଦର ସ୍ବାଇଁ ଏହି ଅଭିଯୋଗ କରିଛନ୍ତି।
ସୂଚନାଯୋଗ୍ୟ, ହ୍ୟୁମାନ ସାଗର ଏବଂ ରୁକୁ ସୁନାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ରୁକୁ ସୁନା ଜଗନ୍ନାଥଙ୍କ ଭଜନକୁ ଅଶ୍ଳୀଳ ଭାବରେ ଗାଇବା ଶୁଣିବାକୁ ମିଳିଛି ଏବଂ ହ୍ୟୁମାନ ଏହା ଶୁଣି ହସି ହସି ଗଡିପଡୁଥିବାର ଦେଖିବାକୁ ମିଳିଛି। ତାଙ୍କ ପଛରୁ ମଧ୍ୟ ଅନେକ ଲୋକ ହସୁଥିବାର ଶୁଣାଯାଉଛି। ଉଭୟଙ୍କ ଏପରି କାର୍ଯ୍ୟ ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଆଘାତ ଦେଇଛି । ଏଭଳି କାର୍ଯ୍ୟ କରୁଥିବା ଲୋକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଇଣ୍ଟରନ୍ୟାଶନାଲ ହ୍ୟୁମାନ ରାଇଟ୍ସ କମିଶନ ସଂଘ ପକ୍ଷରୁ ଦାବି ହୋଇଛି।