Categories: ଜାତୀୟ

ମଣିପୁରରେ ବଡ଼ ଆକ୍ରମଣ ଷଡ଼ଯନ୍ତ୍ର: ସେନାକୁ ମିଳିଲା ଗୁପ୍ତ ସୂଚନା…

ଇମ୍ଫାଲ,୨୯।୫ : ମଣିପୁରରେ ପୁଣି ହିଂସାର ନିଆଁ ଜଳୁଛି। ସଦ୍ୟତମ ହିଂସା ଘଟଣାରେ ଜଣେ ପୋଲିସ କର୍ମଚାରୀଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ଘଟିଛି। ୧୨ ଜଣ ଆହତ ହୋଇଛନ୍ତି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ହିଂସାକାଣ୍ଡ ଘଟିବା ପରେ ଗୁଳି ବିନିମୟରେ ଲୋକଙ୍କ ମୃତ୍ୟୁ ଘଟିଛି। ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ନିକଟରେ ଏକ ବିବୃତ୍ତିରେ କହିଛନ୍ତି ସୁରକ୍ଷା ବାହିନୀ ସହିତ ଏନକାଉଣ୍ଟରରେ ୪୦ କୁକି ଜନଜାତି ଉଗ୍ରବାଦୀ ନିହତ ହୋଇଛନ୍ତି। ଏହି ବିବୃତ୍ତିର ପରଦିନ ରାଜ୍ୟରେ ପୁଣି ହିଂସା ଆରମ୍ଭ ହୋଇଥିଲା।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସାମ୍ପ୍ରତିକ ହିଂସା ପଛରେ କିଛି ଉଗ୍ରବାଦୀ ସଂଗଠନର ସଦସ୍ୟଙ୍କ ହାତ ଥିବା କୁହାଯାଉଛି। ଉଗ୍ରବାଦୀମାନେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ଗୁଳି ଚଳାଇଥିଲେ, ଯେଉଁଥିରେ ଜଣେ ପୋଲିସ କର୍ମଚାରୀଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ଘଟିଥିଲା। ଇମ୍ଫାଲ ପଶ୍ଚିମ ଜିଲାର ଫେଙ୍ଗ ଅଞ୍ଚଳରେ ହୋଇଥିବା ହିଂସା ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି। କାଚିଙ୍ଗ ଜିଲାର ସୁଗାନୁ ଅଞ୍ଚଳରେ ହୋଇଥିବା ହିଂସା ଘଟଣାରେ ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ପୋଲିସ କର୍ମଚାରୀ ଆହତ ହୋଇଥିଲେ। ଏଠାରେ ୬ ଜଣ ସାଧାରଣ ନାଗରିକ ମଧ୍ୟ ଆହତ ହୋଇଛନ୍ତି। ରବିବାର ସୁଗାନୁରେ ମାଓବାଦୀ ପାଞ୍ଚଟି ଗାଁରେ କୁକି ଜନଜାତିର ଲୋକଙ୍କ ଘର ପୋଡି ଦେଇଥିଲେ। ଇମ୍ଫାଲ ୱେଷ୍ଟରେ ଭାଜପା ବିଧାୟକ କେ.ଏ. ରଘୁମଣି ସିଂଙ୍କ ଘରେ କ୍ରୋଧିତ ଜନତାଙ୍କ ଦ୍ୱାରା ନିଆଁ ଲଗାଯାଇଥିଲା। ଏଠାରେ ଥିବା ଉରିପୋକରେ ହିଂସା ପରେ ପୋଲିସ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଲୁହବୁହା ଗ୍ୟାସ ସେଲ ଛାଡି ଥିଲା। ଏଠାରେ ମଧ୍ୟ ଦୁଇ ଜଣ ଆହତ ହୋଇଛନ୍ତି। ଚୁରଚାନ୍ଦପୁର ଜିଲାର କାଙ୍ଗଭି, ଇମ୍ଫାଲ ପୂର୍ବର ସାଗୋମାଙ୍ଗ, ବିଷ୍ଣୁପୁରର ନୁଙ୍ଗୋଇପୋକପି, ଇମ୍ଫାଲ ପଶ୍ଚିମର ଖୁରଖଲ ଠାରେ ହିଂସା ଘଟଣା ଘଟିଛି।

କାକଚିଙ୍ଗ ଜିଲାର ସୁଗାନୁ ସେରୋ ଠାରେ ଉଗ୍ରବାଦୀଙ୍କ ଦ୍ୱାରା ମେତେଇ ସମ୍ପ୍ରଦାୟର ପ୍ରାୟ ୮୦ ଟି ଘରେ ନିଆଁ ଲଗାଇ ଦିଆଯାଇଥିଲା। ଏହା ପରେ ଉକ୍ତ ଅଞ୍ଚଳରେ ପୋଲିସ ମୁତୟନ କରାଯାଇଥିଲା। କେତେକ ସ୍ଥାନରେ ପୋଲିସ ଏବଂ ଉଗ୍ରବାଦୀ ସଂଗଠନର ଲୋକଙ୍କ ମଧ୍ୟରେ ଏନକାଉଣ୍ଟର ହେବାର ଖବର ମଧ୍ୟ ରହିଛି।
ମିଡିଆ ରିପୋର୍ଟ ଅନୁଯାୟୀ ମଣିପୁରରେ ଏକ ବଡ଼ ଆକ୍ରମଣ ପାଇଁ ଉଗ୍ରବାଦୀ ସଂଗଠନ ପ୍ରସ୍ତୁତ ହେଉଛି। ବାସ୍ତବରେ ସେନା ସଂଗ୍ରାମୀ ସଂଗଠନ ମଧ୍ୟରେ ହେଉଥିବା ଗୁପ୍ତ ବାର୍ତ୍ତାଳାପକୁ ଡିକୋଡ କରିଛି। ସେନା ଜାଣିବାକୁ ପାଇଛି ଉଗ୍ରବାଦୀ ସଂଗଠନ ଏକ ବଡ଼ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛି ଏବଂ ସେମାନେ ଏହି ଆକ୍ରମଣରେ ମଣିଷକୁ ଢାଲ ଭାବରେ ବ୍ୟବହାର କରିବାକୁ ଯୋଜନା କରୁଛନ୍ତି। ସେନା ମଧ୍ୟ ଏ ବିଷୟରେ ସତର୍କ ହୋଇପଡିଛି।

Share