ବିଜେଡି ସାଙ୍ଗଠନିକ ସ୍ତରରେ ବଡ଼ ପରିବର୍ତ୍ତନ

ବ୍ରହ୍ମପୁର,୧୨ା୮(ନରସିଂହ ସାହୁ):ଗଞ୍ଜାମ ଜିଲା ବିଜେଡି ସାଙ୍ଗଠନିକ ପରିବର୍ତ୍ତନ ନେଇ ଯୋଜନା ଚାଲିଛି। ଦୁଇଟି ସାଙ୍ଗଠନିକ ଜିଲା କରାଯିବା ସକାଶେ ଚର୍ଚ୍ଚା ହେଉଥିବା ବିଷୟ ଏବେ ଜଣାପଡ଼ିଛି। ଫଳରେ ତୃଣମୂଳ ସ୍ତରରୁ ଦଳ ଅଧିକ ମଜଭୁତ ହୋଇପାରିବ। ଗତ ୮ ତାରିଖରେ ଅନୁଷ୍ଠିତ ରାଜ୍ୟ ବିଜେଡି ସମନ୍ବୟ କମିଟି ବୈଠକରେ ଏଭଳି ପ୍ରସ୍ତାବ ନେଇ ଆଲୋଚନା କରାଯାଇଛି। ଉଲ୍ଲେଖଯୋଗ୍ୟ, ଗଞ୍ଜାମରେ ଭାଜପା ଓ କଂଗ୍ରେସର ଦୁଇଟି ଲେଖାଏ ସାଙ୍ଗଠନିକ ଜିଲା ଗଠନ କରାଯାଇଛି। ତେଣୁ ବିଜେଡି ମଧ୍ୟ ଏଭଳି କରିବା ପାଇଁ ପ୍ରସ୍ତାବ ରଖିଥିବା କର୍ମୀ ମହଲରେ ଚର୍ଚ୍ଚା ହେଉଛି। ୨୦୨୪ ନିର୍ବାଚନରେ ଜିଲାରେ ବିଜେଡି ଦୁର୍ଗ ଭୁଶୁଡ଼ି ଯାଇଛି। ଦୁଇଟି ଯାକ ଲୋକ ସଭା ଏବଂ ୧୩ ବିଧାନସଭା ଆସନ ମଧ୍ୟରୁ ୧୨ଟି ହାତଛଡ଼ା ହୋଇଯାଇଛି। ଫଳରେ ପୂର୍ବ ସ୍ଥିତି ଫେରାଇ ଆଣିବାକୁ ବିଜେଡି ନୂଆ ରଣନୀତି ପ୍ରସ୍ତୁତ କରିଥିବା ଚର୍ଚ୍ଚା ହେଉଛି।
ସୂଚନାଯୋଗ୍ୟ, ଜିଲାରେ ୩ ସବ୍‌ଡିଭିଜନ, ୨୨ ବ୍ଲକ, ୫୦୩ ଗ୍ରାମପଞ୍ଚାୟତ, ବ୍ରହ୍ମପୁର ମହାନଗର ଓ ହିଞ୍ଜିଳି ପୌରପାଳିକା ସହ ୧୮ ସହରାଞ୍ଚଳ ରହିଛି। ତେଣୁ ଏହି ବୃହତ୍ତମ ଜିଲାରେ ବିଜେଡି ସଙ୍ଗଠନକୁ ବିଭାଜିତ କରିବା ଜରୁରୀ ହୋଇପଡ଼ିଛି ବୋଲି କେତେଜଣ ପୁରୁଖା ନେତା ଓ କର୍ମୀ ମତ ରଖିଛନ୍ତି। ବିଜେଡି ଗଠନ ପରେ ୨୦୦୦ରୁ ୨୦୧୯ ମଧ୍ୟରେ ହୋଇଥିବା ସାଧାରଣ ନିର୍ବାଚନରେ ବିଜେଡି ବାଜିମାତ୍‌ କରିଥିଲା। ୨୦୨୪ ନିର୍ବାଚନରେ ଦଳର କାହିଁକି ବିପର୍ଯ୍ୟୟ ହେଲା ତାହା ରାଜନୈତିକ ମହଲକୁ ଚକିତ କରିଛି। କେତେଜଣ କର୍ମୀ ଜିଲା ନେତୃତ୍ୱ ଦୁର୍ବଳ ଯୋଗୁ ଘଟିଥିବା ସମାଲୋଚନା କରୁଥିବା ବେଳେ ଆଉ କେତେଜଣ ଦଳର ସଙ୍ଗଠନରେ ଅମଲାତନ୍ତ୍ରୀରାଜକୁ ଦାୟୀ କରୁଛନ୍ତି। କର୍ମୀଙ୍କୁ ସକ୍ରିୟ ରଖିବା ଲାଗି ନିୟମିତ ବ୍ୟବଧାନରେ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଓ ଜିଲାସ୍ତରୀୟ କର୍ମୀ ସମ୍ମିଳନୀ କରାଯାଇ ନ ଥିବାରୁ ନିର୍ବାଚନରେ ତାହାର ପ୍ରତିଫଳିତ ହୋଇଥିବା ଆଲୋଚନା ହେଉଛି। ଯୁବ ନେତୃତ୍ୱକୁ ସଂଗଠନ ଦାୟିତ୍ୱ ନ ଦେବା ଏବଂ ଗତ ନିର୍ବାଚନ ବେଳେ ରାଜ୍ୟ ସଭାପତି ପୂର୍ବଭଳି ପ୍ରଚାର ପାଇଁ ନ ଆସିବା ବିଜେଡିକୁ ମହଙ୍ଗା ପଡ଼ିଥିବା କଟାକ୍ଷ କରାଯାଇଛି। ଭୋଟ ଫଳାଫଳ ଘୋଷଣାର ଦୁଇ ମାସ ବିତିଛି। ଶୋଚନୀୟ ପରାଜୟର କାରଣ ନେଇ ଅଦ୍ୟାବଧି ଜିଲା ବିଜେଡି ପକ୍ଷରୁ ସମୀକ୍ଷା ମଧ୍ୟ କରାଯାଇନାହିଁି। ଏଭଳି ସ୍ଥିତିରେ ଜିଲା ବିଜେଡି ସଂଗଠନକୁ ଦୁଇଟି ସାଙ୍ଗଠନିକ ଜିଲା କରାଯିବା ପ୍ରସ୍ତାବ ସ୍ବାଗତଯୋଗ୍ୟ ବୋଲି କିଛି ଯୁବ ନେତା ମତ ରଖିଛନ୍ତି।