
ନୂଆଦିଲ୍ଲୀ,୨୭ା୩: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଲାଗି ଭାରତୀୟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ସପୋର୍ଟ ଷ୍ଟାଫରେ କିଛି ବଡ଼ ପରିବର୍ତ୍ତନ କରାଯାଇପାରେ। ଏକ ଜାତୀୟ ହିନ୍ଦୀ ଖବରକାଗଜରେ ପ୍ରକାଶ ପାଇଥିବା ରିପୋର୍ଟ ମୁତାବକ, ସହାୟକ କୋଚ ଅଭିଷେକ ନାୟର ଓ ଫିଲ୍ଡିଂ କୋଚ ଟି ଦିଲୀପଙ୍କୁ ଦଳରୁ ହଟାଯାଇପାରେ।
ଦଳରେ ଅତ୍ୟଧିକ ସପୋର୍ଟ ଷ୍ଟାଫଙ୍କ ଉପସ୍ଥିତିକୁ ବିସିସିଆଇ ନାପସନ୍ଦ କରୁଛି। ଏ ସଂକ୍ରାନ୍ତରେ ଆସନ୍ତା ୨୯ ତାରିଖରେ ଗୁଆହାଟୀଠାରେ ହେବାକୁ ଥିବା ହାଇପ୍ରୋଫାଇଲ ବୈଠକରେ ନିଷ୍ପତ୍ତି ନିଆଯିବ।
ଗମ୍ଭୀର ମୁଖ୍ୟ କୋଚ ଭାବେ ଦାୟିତ୍ୱଭାର ସମ୍ଭାଳିବା ପରେ ରିୟାନ ଟେନ ଡୋଶ୍ଚେଟ ଓ ଅଭିଷେକ ନାୟରଙ୍କୁ ସହାୟକ କୋଚ ଭାବେ ନିଯୁକ୍ତ କରାଯାଇଥିଲା। ଏନ୍ସିଏ ଓ ଇଣ୍ଡିଆ ଏ’ ଦଳର କୋଚ ସିତାଂଶୁ କୋଟାକଙ୍କୁ ବ୍ୟାଟିଂ ଓ ଦକ୍ଷିଣ ଆଫ୍ରିକାର ମର୍ନେ ମୋର୍କେଲଙ୍କୁ ବୋଲିଂ କୋଚ କରାଯାଇଥିଲା।
ଏମାନଙ୍କ ବ୍ୟତୀତ ସପୋର୍ଟ ଷ୍ଟାଫରେ ୩ ଥ୍ରୋଡାଉନ ସ୍ପେଶାଲିଷ୍ଟ, ଦୁଇ ମସାଜ ଥେରାପିଷ୍ଟ, ଜଣେ ସିନିୟର ଓ ଜୁନିୟର ଫିଜିଓଥେରାପିଷ୍ଟ, ଜଣେ ଟିମ ଡକ୍ଟର, ଜଣେ ସୁରକ୍ଷା ଓ ଅପରେଶନ୍ସ ମ୍ୟାନେଜର, ଜଣେ କମ୍ପ୍ୟୁଟର ଆନାଲିଷ୍ଟ ଓ କିଛି ଲଜିଷ୍ଟିକାଲ ଓ ମିଡିଆ ମ୍ୟାନେଜର ରହିଛନ୍ତି।