ଜଳିଗଲା ୪୨ମହଲା ବିଲ୍ଡିଂ: ଉଦ୍ଧାର କାର୍ଯ୍ୟ ଜାରି

ବେଜିଂ,୧୬।୯: ଚାଇନାର ଦକ୍ଷିଣ ପ୍ରାନ୍ତ ହୁନାନର ରାଜଧାନୀ ଚାଙ୍ଗସା ସହରର ଏକ ୪୨ବିଶିଷ୍ଟ ଟେଲିକମ୍‌ ବିଲ୍ଡିଂରେ ଶୁକ୍ରବାର ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣାରେ କେତେକ ଆହତ ହୋଇଛନ୍ତି ଆଉ କେତେକ ଫସିରହିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ସୂଚନାଯୋଗ୍ୟ, ଶୁକ୍ରବାର ଅପରାହ୍ନ ସାଢ଼େ ୪ଟାରେ ଉକ୍ତ ବିଲ୍ଡିଂରେ ନିଆଁ ଲାଗିଯାଇଥିଲା। ଏହି ନିଆଁ ଏତେ ଜୋରରେ ବ୍ୟାପିଥିଲା ଯେ, ଚାହୁଁ ଚାହୁଁ ଅନ୍ୟ ମହଲାରେ ବି ନିଆଁ ଲାଗିଯାଇଥିଲା। ବିଲ୍ଡିଂରେ ଲାଗିଥିବା ନିଆଁ ଯୋଗୁ ଆକାଶ ସାରା ଧୂଆଁମୟ ହୋଇଯାଇଥିଲା। ଅନ୍ୟପଟେ ଖବରପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଚଳାଇଛନ୍ତି। ଏଥିସହ ଉଦ୍ଧାର କାର୍ଯ୍ୟ ମଧ୍ୟ ଜାରି ରହିଛି। ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଘଟଣାସ୍ଥଳରେ ୩୬ଟି ଦମକଳ ଗାଡ଼ି ଏବଂ ୨୮୦ ଅଗ୍ନିଶମ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ସୂଚନା ମୁତାବକ, ଉକ୍ତ ବିଲ୍ଡିଂରେ ରାଷ୍ଟ୍ରାୟତ୍ତ ଟେଲିକମ କମ୍ପାନୀ ଚାଇନା ଟେଲିକମ କାର୍ଯ୍ୟାଳୟ ମଧ୍ୟ ରହିଥିଲା।

Share