ଧର୍ମଶାଳା,୨୨ା୧୨(ଡି.ଏନ୍.ଏ.): ଯାଜପୁର ଜିଲା ଧର୍ମଶାଳା ଥାନା ଅଧୀନ ହରିଦାସପୁରର ରାମ୍କୋ ସିମେଣ୍ଟ୍ କାରଖାନା ନିକଟ ରେଳ ଲାଇନ ପାର୍ଶ୍ୱରେ ଥିବା ତାପସ ମହାନ୍ତିଙ୍କ ଗଜାନନ ପେଟ୍ରୋ କେମିକାଲ କାରଖାନାରେ ଗୁରୁବାର ସନ୍ଧ୍ୟାରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ କାରଖାନାର ପ୍ରାୟ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ହେଲେ ଏଥିରେ କୌଣସି କର୍ମଚାରୀଙ୍କ କ୍ଷତି ଘଟି ନ ଥିବା ଜଣାପଡିଛି।
ଅଗ୍ନିକାଣ୍ଡ ଯୋଗୁ ମୋବିଲ ଜଳିବା ଫଳରେ ବିସ୍ଫୋରଣ ସୃଷ୍ଟି ହୋଇଥିଲା। ଖବର ପାଇ ଚଣ୍ଡିଖୋଲ, ଚଢ଼େଇଧରା ଓ ରସୁଲପୁର ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ କାରଖାନାରେ ଅଗ୍ନି ନିରୋଧ ବ୍ୟବସ୍ଥା ନ ଥିବାରୁ ଏତେବଡ଼ ଅଘଟଣ ଘଟିଲା ବୋଲି ଆଲୋଚନା ହେଉଛି। କାରଖାନା ପରିସରରେ ଥିବା ଏକ ଗାଡିରେ ବ୍ୟାଟେରି ଶଟସର୍କିଟ ଘଟି ଏହି ଅଗ୍ନିକାଣ୍ଡ ଘଟିଥିବା ଚଣ୍ଡିଖୋଲ ଅଗ୍ନିଶମ ବିଭାଗ ଅଧିକାରୀ ରମାକାନ୍ତ ମଲିକ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଅଗ୍ନିକାଣ୍ଡ ଯୋଗୁ ପ୍ରାୟ ୩୦ ମିନିଟ୍ ଟ୍ରେନ୍ ଚଳାଚଳ ବ୍ୟାହତ ହୋଇଥିଲା। ତେବେ ରେଲଓ୍ବେ ଲାଇନ୍ କଡ଼ରେ ଏଭଳି କାରଖାନା ପ୍ରତିଷ୍ଠା ପାଇଁ କିପରି ଅନୁମତି ମିଳିଲା ତାହାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।