ପହଣ୍ଡିବେଳେ ବଡ଼ ଅଘଟଣ: ଆଇନ ମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ ଦେଲେ ବଡ଼ ବୟାନ…

ଭୁବନେଶ୍ୱର,୧୦।୭: ଗତକାଲି ଆଡପ ପହଣ୍ଡି ସମୟରେ ବଡଠାକୁର ଖସି ପଡ଼ିବା ଘଟଣାକୁ ନେଇ ରାଜ୍ୟ ଉଠୁଛି ପଡୁଛି। ଘଟଣାକୁ ନେଇ ଭକ୍ତଙ୍କ ମହଳରେ ଅସନ୍ତୋଷ ଦେଖା ଦେଇଥିବାବେଳେ କାର୍ଯ୍ୟାନୁଷ୍ଠାନ ନେଇ ଦାବି କରାଯାଇଛି। ତେବେ ଏହାକୁ ନେଇ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଓ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ବଡ଼ ବୟାନ ଦେଇଛନ୍ତି।

ଆଇନ ମନ୍ତ୍ରୀ କହିଛନ୍ତି, ‘ ଏହା ଏକ ସାମାନ୍ୟ ଦୁର୍ଘଟଣା ଥିଲା । ଯେଉଁଭଳିି ଭାବେ ଠାକୁର ଆଗକୁ ଝୁଙ୍କିପଡିଲେ ଏଥିରେ ଠାକୁରଙ୍କର କିଛି କ୍ଷତି ହୋଇନାହିଁ କିନ୍ତୁ ଏଥିରେ ଯେଉଁ ସେବାୟତ ଆହତ ହୋଇଥିଲେ, ସେମାନେ ସୁସ୍ଥ ଅଛନ୍ତି। ସେମାନଙ୍କ ମଧ୍ୟରୁ ଏବେ କିଛି ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ଆଉ କିଛି ସେବାୟତ ଏବେ ସେବାରେ ଯୋଗ ଦେଲେଣି । ଏହାକୁ ପ୍ରଭୁଙ୍କର ଏକ ଲୀଳା ବୋଲି କୁହାଯିବ । ଏହାକୁ ନେଇ ଅଧିକ ବଢାଇ ଆଲୋଚନା କରାଯିବା ଉଚିତ ନୁହେଁ’ ।

ସେହିପରି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତକାଲି ଅଘଟଣ ନେଇ ଜାଣିବା ପରେ ପୁରୀକୁ ଯାଇଥିଲୁ । ଆହତ ସେବାୟତଙ୍କୁ ତୁରନ୍ତ ଭେଟିଥିଲୁ । ସମସ୍ତେ ପ୍ରାଥମିକ ଚିକିତ୍ସା ପରେ ଫେରିଥିଲେ । ଏହା ଲୀଳାମୟଙ୍କ ଲୀଳା ହୋଇଥାଇପାରେ । ପ୍ରଭୁ ଚାରମାଳରୁ ଖସିପଡିଲେ, କିନ୍ତୁ କାହାର ସେମିତି ବିଶେଷ କିଛି କ୍ଷତି ହୋଇନାହିଁ । ପୁଣିଥରେ ସ୍ବାଭାବିକ ଭାବେ ନୀତିକାନ୍ତି ଚାଲିଲା । ଆମ ଠାକୁରଙ୍କ ଲୀଳା ଅପାର । ପୁରୀରୁ ଫେରି ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛୁ । ପ୍ରଭୁଙ୍କ ଆଶୀର୍ବାଦ କାରଣରୁ କାହାର କିଛି ହୋଇନାହିଁ । ପୁଣିଥରେ ସମସ୍ତେ ମିଶି ଠାକୁରଙ୍କ ନୀତିକାନ୍ତିରେ ଲାଗିଥିଲେ ବୋଲି କହିଛନ୍ତି ପ୍ରଭାତୀ ପରିଡା।

ଓଡ଼ିଆ ଅସ୍ମିତା ତଥା ବିଶେଷ କରି ଜଗନ୍ନାଥଙ୍କୁ ପ୍ରସଙ୍ଗ କରି ସରକାରକୁ ଆସିଥିବା ଭାଜପା ଏପର୍ଯ୍ୟନ୍ତ ଏପରି ବଡ଼ ବିଭ୍ରାଯକୁ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ। ଆଉ ରାଜ୍ୟର ଆଇନ ମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ ଏହାକୁ ସାମାନ୍ୟ ଘଟଣାକୁ କହି ଗଣମାଧ୍ୟମରେ ଏଡାଇ ଦେଇଛନ୍ତି।

Share