Categories: ଜାତୀୟ

ବଡ଼ଧରଣର ସଡ଼କ ଦୁର୍ଘଟଣା: ଚାଲିଗଲା ୧୩ ଜଣଙ୍କ ଜୀବନ, ମୃତକଙ୍କ ମଧ୍ୟରେ ରହିଛି ଜଣେ ଶିଶୁ

ବେଙ୍ଗଲୁରୁ,୨୮ା୬: ଶୁକ୍ରବାର କର୍ନାଟକରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ରାଜ୍ୟର ହାଭେରୀ ଜିଲାର ପୁଣେ-ବେଙ୍ଗାଲୁରୁ ଜାତୀୟ ରାଜପଥରେ ଘଟିଥିବା ଏହି ସଡ଼କ ଦୁର୍ଘଟଣାରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ଜିଲାର ବାଗଡି ତାଲୁକର ଗୁଣ୍ଡେନାହଲ୍ଲୀ ବୁଲାଣି ନିକଟରେ ଏହି ଦୁର୍ଘଟଣା ଘଟିଛି। ତେବେ ପ୍ରାଣ ହରାଇଥିବା ୧୩ ଜଣଙ୍କ ମଧ୍ୟରେ ଜଣେ ଶିଶୁ ରହିଥିବା ଜଣାପଡ଼ିଛି। ଜାତୀୟ ରାଜପଥରେ ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଏକ ଅଟୋ ଯାତ୍ରୀଙ୍କୁ ନେଇ ପୁଣେ-ବେଙ୍ଗାଲୁରୁ ଜାତୀୟ ରାଜପଥ ଦେଇ ଯିବା ସମୟରେ ପଛ ପଟରୁ ପାର୍କିଂ ଲୋରିକୁ ଜୋର୍‌ରେ ଧକ୍କା ଦେଇଥିଲା। ଏହି ଧକ୍କା ଏତେ ଶକ୍ତିଶାଳୀ ଥିଲା ଯେ, ସାମ୍ନାରେ ବସିଥିବା ଲୋକମାନେ କାଚ ଭାଙ୍ଗି ଲୋରିରେ ପିଟି ହୋଇଥିଲେ। ଏହି ଘଟଣାର ଫଟୋ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ଉଦ୍ଧାରକାରୀ ଦଳ ଯାତ୍ରୀଙ୍କୁ ହଟାଉଥିବା ଦେଖିବାକୁ ମିଳିଛି। ଏହି ଦୁର୍ଘଟଣାରେ ଯାତ୍ରୀଙ୍କର ବହୁମାତ୍ରାରେ କ୍ଷତି ହୋଇଛି।

Share