Categories: ଖେଳ

ମେଜର ସନ୍ଦୀପ ମହାପାତ୍ର ମେମୋରିଆଲ ଟେନିସ୍‌: ସାମୁଏଲଙ୍କୁ ସିଙ୍ଗଲ୍ସ ଟାଇଟଲ

ଭୁବନେଶ୍ୱର, ୧୧ା୩ (ସ୍ପୋଟର୍‌ସ ବ୍ୟୁରୋ): ସ୍ଥାନୀୟ ମେଣ୍ଢାଶାଳସ୍ଥିତ ଟେନିସ କମ୍ପ୍ଲେକ୍ସଠାରେ ମେଜର ସନ୍ଦୀପ ମହାପାତ୍ର ମେମୋରିଆଲ ଟେନିସ୍‌ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏଥିରେ କର୍ନାଟକର ରଶିନ୍‌ ସାମୁଏଲ ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି। ଫାଇନାଲରେ ସେ ତାମିଲନାଡୁର ଭୂପତି ସାକଥିଭେଲ୍‌ଙ୍କୁ ୭-୬ (୫), ୬-୧ରେ ହରାଇ ଦେଇଛନ୍ତି। ପୂର୍ବରୁ ଅନୁଷ୍ଠିତ ଡବଲ୍ସ ଫାଇନାଲରେ ମହାରାଷ୍ଟ୍ର ଯୋଡ଼ି ପ୍ରସାଦ ଇଙ୍ଗାଲେ ଓ ପାରିତୋଷ ପାଓ୍ବାର ୬-୪, ୬-୪ରେ ଓଡ଼ିଶାର ଅମୃତଜୟ ମହାନ୍ତି ଓ ଶୁଭ୍ରନିଲ୍‌ ବର୍ମନଙ୍କୁ ହରାଇ ଦେଇଥିଲେ। ପ୍ରତିଯୋଗିତା ଶେଷରେ ସିଙ୍ଗଲ୍ସ ବିଜେତା ଓ ରନରଅପ୍‌କୁ ଟ୍ରଫି ସହ ଯଥାକ୍ରମେ ୧୨,୫୦୦ ଟଙ୍କା ଓ ୮,୪୦୦ ଟଙ୍କା ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା। ସେହିପରି ଡବଲ୍ସ ବିଜେତା ଓ ରନରଅପ୍‌ଙ୍କୁ ଟ୍ରଫି ସହ ଆର୍ଥିକ ପୁରସ୍କାର ବାବଦରେ ଯଥାକ୍ରମେ ୬,୨୦୦ ଟଙ୍କା ଓ ୩,୮୦୦ ଟଙ୍କା ପ୍ରଦାନ କରାଯାଇଥିଲା। ସିଙ୍ଗଲ୍ସର ବିଜେତା ଓ ରନରଅପ୍‌ ଯଥାକ୍ରମେ ୨୦ ଓ ୧୫ ଅଲ୍‌ ଇଣ୍ଡିଆ ଟେନିସ ଆସୋସିଏଶନ (ଆଇଟା) ର଼୍ୟାଙ୍କିଙ୍ଗ ପଏଣ୍ଟ ଅର୍ଜନ କରିଛନ୍ତି। ଚାମ୍ପିୟନଶିପ୍‌ରେ ଦେଶର ୧୪ଟି ବିଭିନ୍ନ ରାଜ୍ୟରୁ ମୋଟ ୬୦ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ସ୍ବର୍ଗତ ମେଜର ସନ୍ଦୀପ ମହାପାତ୍ରଙ୍କ ପିତା ଜଗଦାନନ୍ଦ ମହାପାତ୍ର ଟୁର୍ନାମେଣ୍ଟର ପ୍ରମୁଖ ପ୍ରାୟୋଜକ ରହିଛନ୍ତି। ଉଦ୍‌ଯାପନୀ ଉତ୍ସବରେ ସେ ଫାଇନାଲିଷ୍ଟଙ୍କୁ ଟ୍ରଫି ଓ ପୁରସ୍କାର ପ୍ରଦାନ କରିଥିଲେ। ଗୁରୁକୁଳ ରିସୋର୍ଟସର ନିର୍ଦ୍ଦେଶକ ଚିନ୍ମୟ ପ୍ରଧାନ ଓ ଟୁର୍ନାମେଣ୍ଟ ରେଫରି ଯତୀନ ବତ୍ସ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ।

Share